ଝାରସୁଗୁଡା ବ୍ୟାଙ୍କରୁ ଖୁଲମଖୁଲା ଲୁଟ୍ । ସମସ୍ତଙ୍କ ଆଖି ସାମ୍ନାରୁ ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଲୁଟେରା, ଗୋଡେଇ ଗୋଡେଇ ଧରିଲେ ସିକ୍ୟୁରିଟି ।

807

କନକ ବ୍ୟୁରୋ : ବ୍ୟାଙ୍କରେ ଟଙ୍କାଲୁଟର ଅଭିନବ ତରିକା । ଟଙ୍କା ଗଣିଦେବାକୁ କହି ଗ୍ରାହକଙ୍କ ଠାରୁ ଟଙ୍କା ଲୁଟ କରୁଥିଲା ଦୁବୃର୍ତ । ହେଲେ ଧରାପଡିଗଲା । ଝାରସୁଗୁଡାରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜାଣନ୍ତୁ କେମିତି ଥିଲା ଲୁଟର ଏହି ଘଟଣା ।

ସିସିଟିଭିରେ ଲୁଟର ପୁରା ଦୃଶ୍ୟ କଏଦ ହୋଇଛି । ଝାରସୁଗୁଡା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଜଣେ ମହିଳା ୪୫ହଜାର ଟଙ୍କା ଉଠାଉଥିଲେ । ତାଙ୍କ ପାଖରେ ଥିବା ଜଣେ ଟଙ୍କା ଗଣିଦେବାକୁ କହି ମହିଳାଙ୍କ ହାତରୁ ଟଙ୍କା ନେଇଥିଲେ । ଆଉ ଗଣିବେ କଣ ଟଙ୍କା ନେଇ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ । ଲୁଟେରା ଜଣଙ୍କ ଟଙ୍କା ଧରି ଦୌଡି ପଳାଉଥିବା ବେଳେ ମହିଳା ଜଣଙ୍କ ତାଙ୍କ ପିଛା କରିଥିଲେ । ଆଉ ସୁରକ୍ଷାକର୍ମୀ ମଧ୍ୟ ତାଙ୍କ ପିଛା କରିଥିଲେ । ଶେଷରେ ଧରାପଡିଥିଲା ଲୁଟେରା ।

ଏହି ଲୁଟେରା ଜଣଙ୍କ ହେଉଛନ୍ତି ସଜ୍ଜାଦ ଅଲ୍ଲୀ ଏବଂ ଘର ମହାରାଷ୍ଟ୍ର କାମଟି ନାଗପୁରର ବୋଲି ଜଣାପଡିଛି । ବୟସ ପାଖାପାଖି ୨୧ ବର୍ଷ । ବାହାନା କରି ବ୍ୟାଙ୍କର କ୍ୟାସ କାଉଁଟର ନିକଟରେ ଠିଆ ହୋଇଥିଲେ ଯୁବକ । ଆଉ ସୁଯୋଗ ଖୋଜୁଥିଲେ ଆଉ ଏହି ସମୟରେ ମିଳିଯାଇଥିଲା ଟାର୍ଗେଟ । ମହିଳାଙ୍କ ହାତରେ ଟଙ୍କା ଦେଖି ଲୁଟ କରିବାକୁ ଯୋଜନା କରିଥିଲେ । ହେଲେ ପଣ୍ଡ ହୋଇଗଲା ଯୋଜନା । ତେବେ ଧରାପଡିବା ପରେ ଦୋଷ ଛଡାଇବା ପାଇଁ ନେହୁରା ମଧ୍ୟ ହୋଇଥିଲେ । ହେଲେ ଉପସ୍ଥିତ ସୁରକ୍ଷାକର୍ମୀ ଲୁଟେରାଙ୍କୁ ଟଙ୍କା ସହିତ ଧରିବାରେ ସକ୍ଷମ ହୋଇଥିଲେ । ଆଉ ସିସିଟିଭିରେ କଏଦ ହୋଇଥିଲା ପୁରା ଘଟଣା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଯୁବକ ଏପରି ଲୁଟ କରିଥିଲେ ସେନେଇ ତନାଘନା ଚଲାଇଛି ପୋଲିସ ।