ସଚିବାଳୟର ତୃତୀୟ ମହଲାରେ ବିଲେଇ : ଫଶିଥିବା ବିଲେଇକୁ ଉଦ୍ଧାର ପାଇଁ ରେସକ୍ୟୁ ଅପରେସନ୍

55

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଆଜି ସଚିବାଳୟରେ ଚାଲିଥିଲା ବିଲେଇ ଉଦ୍ଧାର ଅଭିଯାନ । ତିନି ଦିନରୁ ସଚିବାଳୟ ତୃତୀୟ ମହଲା ତାଜାରେ ଫଶିଥିବା ବିଲେଇକୁ ତଳକୁ ଆଣିବା ପାଇଁ ଚାଲିଥିଲା ରେସକ୍ୟୁ ଅପରେସନ୍ । ତାଜା ଉପରେ ବିକଳରେ ଚିତ୍କାର କରୁଥିଲା ଏହି ବିଲେଇ । ଏହାକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦେଲେ ସଚିବାଳୟ କର୍ତ୍ତୃପକ୍ଷ ।

ଅଗ୍ନିଶମ ବିଭାଗର ଅଧିକାରୀ ଲମ୍ବା ଲୁହା ସିଡି ଆଣିଲେ । ଏହି ସିଡିକୁ ତାଜାର ଉଚ୍ଚତା ଯାଏ ଲମ୍ବାଇଲେ । ଏହା ପରେ ଜଣେ ଅଗ୍ନିଶମ କର୍ମଚାରୀ ସିଡିରେ ଚଢିଲେ । ତଳୁ ସିଡିକୁ ଧରିଥାନ୍ତି ଆଉ ଦୁଇ ଜଣ । ଆଉ ଏହି ଦୃଶ୍ୟ ଦେଖିବାକୁ ତଳେ ଠିଆ ହୋଇଥାନ୍ତି ସାଧାରଣ ଲୋକ । ଧୀରେ ଧୀରେ ଉପରକୁ ଚଢିଲେ ଅଗ୍ନିଶମ କର୍ମଚାରୀ । ହାତରେ ଥଲା ଗୋଟାଏ ଅଖା ବ୍ୟାଗ । ଯେଉଁଥିରେ ବିଲେଇକୁ କାବୁ କରାଯିବ ।

ବିଲେଇ ଫଶିଥିବା ତାଜାରେ ପହଂଚିଲେ ଅଗ୍ନିଶମ କର୍ମଚାରୀ । ହେଲେ ଧରା ପଡିଲାନି ବିଲେଇ । ବେଶ୍ କିଛି ସମୟ ଧରି ଅଗ୍ନିଶମ କର୍ମଚାରୀ ଓ ବିଲେଇ ମଧ୍ୟରେ ଚାଲିଲା ଛକାପଂଜା । ବିଲେଇ ବି ତଳକୁ ଡିଆଁ ମାରିବାକୁ ଚଲାଇଥାଏ ଯୋଜନା । ଠିକ୍ ଅଖା ବ୍ୟାଗରେ ତାକୁ ଧରୁ ଧରୁ, ଚଟ୍ କରି ତିନି ମହଲା ତଳକୁ ଡିଆଁ ମାରିଲା ବିଲେଇ । ଆଉ ଚାରି ଗୋଡରେ ତଳେ ଠିଆ ହୋଇ ଚମ୍ପଟ ମାରିଲା । ତିନି ଦିନରୁ ତଳକୁ ଡେଇଁବାକୁ ସାହସ କରୁ ନଥିବା ବିଲେଇର ଏପରି ଜୀବନ ପାଇଁ ସଂଘର୍ଷମୟ ଡିଆଁ, ସଚିବାଳୟ ପରିସରକୁ କୌତୁହଳପୂର୍ଣ୍ଣ କରିଦେଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –