ସ୍କୁଲରେ ଜାତିଗତ ଭେଦଭାବ ! ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀରେ ବସାଯାଉଛି ଅଲଗା, ପୂଜାବେଳେ କରାଯାଉଛି ବାରଣ ।

220

କନକ ବ୍ୟୁରୋ : ଭେଦଭାବ ଶୁନ୍ୟ ଅଞ୍ଚଳରେ ଭେଦଭାବର ଗନ୍ଧ । ଜାତିଆଣ ଭାବ ଯୋଗୁଁ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛନ୍ତି ।  ମାନସିକ ଯନ୍ତ୍ରଣାର ଶିକାର ହେଉଥିବା ଛାତ୍ରଛାତ୍ରୀ ଏବେ ବିଦ୍ୟାଳୟ ଛାଡିବାକୁ ଧମକ ଦେଇଛନ୍ତି ।

ବୌଦ୍ଧ ଜିଲ୍ଲା ଗୋଛାପଡା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ  ।  ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୮୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୮୫ଜଣ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ  । ତେବେ ଏହି ଦଳିତ ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠ ପଢ଼ାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ଗଣେଶ ପୂଜା ଓ ସରସ୍ୱତୀ ପୂଜାରେ ଛୁଆଁ ଅଛୁଆଁ ଭାବର ଶିକାର ହେବାକୁ ପଡୁଥିବା ଅଭିଯୋଗ ହୋଇଛି । ଶିକ୍ଷକ ଶିକ୍ଷୟତ୍ରୀଙ୍କ ଏଭଳି ଆଚରଣ ଯୋଗୁଁ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ଶିକାର ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏହାର ସମାଧାନ ନହେଲେ ସ୍କୁଲ ଛାଡିବାକୁ ଧମକ ଦେଇଛନ୍ତି ଛାତ୍ରଛାତ୍ରୀ ।

ଅନ୍ୟପଟେ ବିଦ୍ୟାଳୟର ଜୈନେକା ଶିକ୍ଷୟିତ୍ରୀ ମଧ୍ୟ ଜଣେ ଅନୂସୁଚିତ ଜାତିର ହୋଇଥିବାବେଳେ    ଛାତ୍ରଛାତ୍ରୀଙ୍କ ଭଳି ସେ ମଧ୍ୟ ଏଭଳି ମାନସିକ ଯନ୍ତ୍ରଣାର ଶୀକାର  ହେଉଥିବା କହିଛନ୍ତି  । ଏ ନେଇ  ଶିକ୍ଷୟିତ୍ରୀ ଜଣକ ବିଆରସି , ସିଆରସି ଠାରୁ ଆରମ୍ଭ କରି ବିଇଓ ପର୍ଯନ୍ତ ଯାହାକୁ ଗୁହାରୀ କଲେ କେହି ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଶିକ୍ଷାନୁଷ୍ଠାନ ଭଳି ପବିତ୍ର ସ୍ଥାନରୁ ଆସିଥିବା ଏହି ଅଭିଯୋଗ ଯଦି ସତ୍ୟ ହୋଇଥାଏ ତେବେ ସାଂଘାତିକ । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ  ତଦନ୍ତ କରି ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ମତାମତ

Your email address will not be published.