ଓଲିଉଡରେ କାଷ୍ଟିଂ କାଉଚ ଅଭିଯୋଗ : ସୋନିକାଙ୍କ ପରେ ମୁହଁ ଖୋଲିଲେ ଅଭିନେତ୍ରୀ ଲିନା ଦାସ

53

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଭାସ ରାଉତଙ୍କ ଓଲିଉଡ କନେକସନ ନେଇ କଥା ଆସିବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏହି ଚିଟଫଣ୍ଡ ଠକ ଓ ବିଲଡରମାନେ କାହିଁକି ଆସିଥିଲେ ସିନେମା ନିର୍ମାଣ ପାଇଁ । ଏହାର ଗୁମର ଖୋଲିଛନ୍ତି ଅଭିନେତ୍ରୀ ଲିନା ଦାସ । କନକ ନ୍ୟୁଜରେ ଦୁଇ ଦିନ ପୂର୍ବରୁ ସୋନିକା ରାୟ ଓଲିଉଡରେ କାଷ୍ଟିଂ କାଉଚ ଗୁମର ଖୋଲିବା ପରେ ଆଜି ଅଭିନେତ୍ରୀ ଲିନା ଦାସ ଆହୁରି ଭିତିରି କଥା କହିଛନ୍ତି ।

ଲିନା ଆହୁରି ମଧ୍ୟ କହିଛନ୍ତି ଯେ କାହିଁକି ସୁଟିଂ ବେଳେ ଅଭିନେତ୍ରୀଙ୍କ ସହ ବାରମ୍ବାର ଟେକ ନେବାକୁ ଚେଷ୍ଟା କରାଯାଏ । ନବାଗତା ଅଭିନେତ୍ରୀମାନେ ଏହାର ଉଦେଶ୍ୟ ବୁଝି ପାରନ୍ତି ନାହିଁ । ଏହି ବାହାନାରେ ଅଭିନେତ୍ରୀମାନଙ୍କ ଶରୀରକୁ ଛୁଇଁବାକୁ ଚେଷ୍ଟା କରନ୍ତି ନିର୍ଦେଶକ ।

ଓଲିଉଡରେ ଏଭଳି କଥା ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ଲିନା ଆଉ ଏକ ଉଦାହରଣ ଦେଇ କହିଛନ୍ତି, ନବାଗତା ଅଭିନେତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ମାନସିକ ଚାପ ପକାଇଥାନ୍ତି । ଆଉ ଶେଷରେ ଅଭିନେତ୍ରୀ ଜଣକ ବାଧ୍ୟ ହୋଇ କଂପ୍ରମାଇଜ କରିବାକୁ ନିର୍ମାତା କିମ୍ବା ନିର୍ଦେଶକଙ୍କ କଥା ମାନିଯାନ୍ତି ।

ଅଭିନେତ୍ରୀ ସୋନିକା ରାୟଙ୍କ ପରେ ଲୀନା ଦାସଙ୍କ ଏହି ଅଙ୍ଗେ ନିଭା କଥା ଓଲିଉଡର ଭିତିରି କଥାକୁ ବୟାନ କରୁଛି । ଏବଂ ଧିରେ ଧିରେ ସ୍ପଷ୍ଟ ହେଉଛି, ଚିଟଫଣ୍ଡ ଖଳ ନାୟକ ଓ ବିଲଡରମାନେ କାହିଁକି ଆସୁଛନ୍ତି ଏହି ଗ୍ଲାମର ଦୁନିଆଁକୁ ।