ଫାଇଦା ପାଇଁ ବଦଳିଯାଉଛି ଜାତିର ପରିଚୟ : ମିଥ୍ୟା ଜାତି ପରିଚୟ ଦେଇ ଫସିଛନ୍ତି ଭୁବନ ବ୍ଳକର ବିଜେଡି ଚେୟାରମ୍ୟାନ୍ ସୁଧାଂଶୁବାଳା

36

ଭୁବନ : ଫାଇଦା ପାଇଁ ବଦଳିଯାଉଛି ଜାତିର ପରିଚୟ । କେତେବେଳେ ସବର୍ଣ୍ଣତ କେତେବେଳେ ଅସବର୍ଣ୍ଣ । ଏମିତି ଭାବରେ ମିଥ୍ୟା ଜାତି ପରିଚୟ ଦେଇ ଫସିଛନ୍ତି ଭୁବନ ବ୍ଳକର ବିଜେଡି ଚେୟାରମ୍ୟାନ୍ ସୁଧାଂଶୁବାଳା ବେହେରା । ସରକାର ଦୁଇ ବର୍ଷ ହେଲା ସବୁ ଜାଣି ବି କିଛି ପଦକ୍ଷେପ ନେଉନାହାନ୍ତି ।ସେହି ଫାଇଦାକୁ ଭରପୁର ଉପଯୋଗ କରିଛନ୍ତି ଢ଼େଙ୍କାନାଳ ଭୁବନ ବ୍ଳକର ଚେୟାରମ୍ୟାନ୍ ସୁଧାଂଶୁବାଳା ବେହେରା । ଶ୍ରୀମତୀ ବେହେରାଙ୍କ ସ୍ୱାମୀ ଅଶୋକ କୁମାର ବେହେରା ମଧ୍ୟ ସମାନ ଢ଼ଙ୍ଗରେ ଜାତି ବଦଳେଇ ବଡ଼ ବିଲ୍ଡର ପାଲଟିଛନ୍ତି ।
୨୦୦୪ ମସିହାରେ ସୁଧାଂଶୁଙ୍କ ସ୍ୱାମୀ ଅଶୋକ କୁମାର ବେହେରା ଭୁବନରେ କିଛି ବ୍ୟକ୍ତିଙ୍କଠାରୁ ମାଡ଼ ଖାଇବା ବେଳେ ଅଭିଯୋଗ କରିଥିଲେ ଯେ ସେ ହେଉଛନ୍ତି ତଫସିଲଭୁକ୍ତ ଜାତିର ଲୋକ । ୨୦୦୯ ମସିହାରେ ସେ ଓ ତାଙ୍କ ପତ୍ନୀ ଜମି କିଣାବିକା ବ୍ୟବସାୟରେ ପଶିଲା ପରେ ଦର୍ଶାଇଲେ ଯେ ସେମାନେ ତଫସିଲଭୁକ୍ତ ଜାତିର ଲୋକ ନୁହନ୍ତି । ତେବେ ୨୦୧୨ ନିର୍ବାଚନ ବେଳକୁ ପୁଣି ସତ୍ୟପାଠ ବଦଳିଗଲା। ସୁଧାଂଶୁବାଳା ବେହେରା ଦର୍ଶାଇଥିଲେ ସେ ତଫସିଲଭୁକ୍ତ ଜାତିର ।

ଗତ ଦୁଇ ବର୍ଷ ହେଲା ସ୍ଥାନୀୟ ଗଣସଂଗଠନଗୁଡ଼ିକ ଏ ନେଇ ବାରମ୍ବାର ଆପତ୍ତି ଦର୍ଶାଇଛନ୍ତି । ଜାଲ୍ ଜାତିଗତ ପ୍ରମାଣ ବିଷୟରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି । ବାରମ୍ବାର ବିକ୍ଷୋଭ କରିଛନ୍ତି । ଆଇନ ତା’ ବାଟରେ ଯିବ ବୋଲି ସରକାର ସବୁବେଳେ କହୁଥିବା ବେଳେ ଗତ ଦୁଇ ବର୍ଷ ହେଲା ଆଇନ ତା’ ବାଟରେ ଯାଇପାରୁନାହିଁ । ସମ୍ଭବତଃ ସୁଧାଂଶୁବାଳା ବିଜେଡିର ଜଣେ ବ୍ଲକ୍ ଚେୟାରମ୍ୟାନ୍ ହୋଇଥିବାରୁ ଆଇନ ତା’ ବାଟରେ ଯାଇପାରୁନାହିଁ ।