କ୍ୟାସଲେସ୍ କରି ହିନସ୍ତା ! ସାରା ରାଜ୍ୟରେ ଜମି କିଣାବିକା ଠପ୍

43

କନକ ବ୍ୟୁରୋ : ସବ୍ ରେଜିଷ୍ଟ୍ରାର୍ ଅଫିସରେ ତାଲା । ଠପ୍ ହୋଇଯାଇଛି ଜମି କିଣାବିକା । ଭିତିଭୂମି ନଥାଇ କ୍ୟାସଲେସ୍ ଟ୍ରାଞ୍ଜାକ୍ସନ ନିର୍ଦ୍ଦେଶ ପରେ ସବ୍ ରେଜିଷ୍ଟ୍ରାର ଅଫିସରେ ହୋଇପାରୁନି ଜମି କିଣାବିକା । ବନ୍ଦ ହୋଇଯାଇଛି ଜମି ରେଜିଷ୍ଟ୍ରେସନ୍ । ଯାହାକୁ ବିରୋଧ କରିଛି ମୋହରିର ଓ ଦଲିଲ ଲେଖକ ମହାସଂଘ ।

ସାରା ରାଜ୍ୟରେ ସ୍ଥିତି ସମାନ । ସବୁଠି ବନ୍ଦ ହୋଇପଡିଛି ଜମି କାରବାର । ଜମି କିଣାବିକା କରିବାକୁ ଆସୁଥିବା ଲୋକ ବ୍ୟାଙ୍କରୁ ଅଫିସ ଦୌଡି ଦୌଡି ସମୟ ଯାଉଛି । ହେଲେ କାମ ହୋଇପାରୁନି । ଜମି କିଣାବିକା ପାଇଁ କ୍ୟାସଲେସ୍ ଟ୍ରାନଜାକ୍ସନ କରିବାକୁ ନିର୍ଦେଶ ଦେଇଛନ୍ତି ସରକାର । ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ କଡାକଡି ଭାବେ ଲାଗୁ କରିବାକୁ ବିଜ୍ଞପ୍ତି ବି ପ୍ରକାଶ ପାଇଛି । ହେଲେ . .

କେମିତି ହେବ ଜମି କିଣାବିକା?

ଅଫିସରେ ଏଥିପାଇଁ ଭିତ୍ତିଭୂମିର ବ୍ୟବସ୍ଥା ଅଛି କି?

କ୍ୟାସଲେସ୍ ଟ୍ରାନଜାକ୍ସନ୍ ପାଇଁ କଣ ବ୍ୟବସ୍ଥା କରିଛନ୍ତି ସରକାର?

ରାଜ୍ୟର ଅଧିକାଂଶ ସବ୍ ରେଜିଷ୍ଟ୍ରାର୍ ଅଫିସରେ ପିଓଏସ୍ ମେସିନ୍ ନାହିଁ । ଏଥିସହ ଛଟୋରୁ ଛଟୋ ଟଙ୍କା କାରବାର ପାଇଁ ଡିମାଣ୍ଡ ଡ୍ରାଫ୍ଟ , ଚାଲାଣ ଓ ଚେକ୍ ପାଇଁ ବ୍ୟାଙ୍କ୍ ଦୌଡିବାକୁ ପଡୁଛି । ଫଳରେ ହଇରାଣ ହେଉଛନ୍ତି ଲୋକେ ।

ସେପଟେ ଭିତିଭୂମି ନଥାଇ କ୍ୟାସଲେସ୍ ଜମି ରେଜିଷ୍ଟ୍ରେସନରେ ହେଉଥିବା ଅଚଳାବସ୍ଥାକୁ ମାନିଛନ୍ତି ସରକାର । କହିଛନ୍ତି, ପ୍ରାଥମିକ ପର୍ଯ୍ୟାୟରେ ଏହି ସମସ୍ୟା ସୃଷ୍ଟି ହୋଇଛି, ଧିରେ ଧିରେ ଏଥିରେ ସୁଧାର ଆସିବ ।

ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣ ଘୋଷଣା ପରେ କ୍ୟାସଲେସ୍ ଟ୍ରାନଜାକ୍ସନ ଉପରେ ଗୁରୁତ୍ୱ ଦେଇଥିଲେ ମୋଦି ସରକାର । ହେଲେ ଏଯାଏଁ ସେନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇନି ।