ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡଦିନ ଭେଟି ! ଘୋଷଣା ହେଲା ପ୍ରଥମ କ୍ୟାସଲେସ୍ ଗ୍ରାହକ ପୁରସ୍କାର

76

କନକ ବ୍ୟୁରୋ : ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡଦିନ ଭେଟି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ଆଇଟି ମନ୍ତ୍ରୀ ରବିଶଙ୍କର ଆଜି ଦିଲ୍ଲୀରେ ପ୍ରଥମ ଲକି ଡ୍ର ର ଶୁଭାରମ୍ଭ କରିଛନ୍ତି । ଏହା ସହ ସାଧାରଣ ଗ୍ରାହକ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଦୁଇଟି ଯୋଜନା ଆରମ୍ଭ ହୋଇଛି । ଦୈନିକ ୧୫ ହଜାର ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏହାଛଡା ‘ଡିଜିଧନ ବ୍ୟାପାର ଯୋଜନା’ ମାଧ୍ୟମରେ ବ୍ୟବସାୟୀଙ୍କ କାରବାରକୁ କ୍ୟାସଲେସ କରିବା ପାଇଁ ବ୍ୟବସ୍ଥା ରହିଛି । ଫଳରେ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଡିଜିଟାଲ କାରବାର ବୃଦ୍ଧି ପାଇବ ବୋଲି କେନ୍ଦ୍ର ଆଶା ରଖିଛି ।

ଦେଶର ଶହେ ସହରରେ ଆସନ୍ତା ୧୦୦ ଦିନ ପାଇଁ ଲକି ଗ୍ରାହକ ଯୋଜନା ଓ ଡିଜି ଧନ ବ୍ୟାପାର ଯୋଜନା କ୍ରମରେ ପୁରସ୍କୃତ କରଯିବ । ଲକି ଗ୍ରାହକ ଡ୍ର ଯୋଜନା ଅନୁସାରେ ୧୫ ହଜାର ଗ୍ରାହକଙ୍କୁ ଶହେ ଦିନ ଯାଏଁ, ହଜାରେ ଟଙ୍କା କ୍ୟାସ ବ୍ୟାକ ହେବ ।ତେବେ ୟୁପିଆଇ, ୟୁଏସଏସଡି, ଆଧାର ନମ୍ବର ଆଧାରିତ ପେମେଂଟ ସିଷ୍ଟମ ଓ ରୁପେ କାର୍ଡ ବ୍ୟବହାରକାରୀ ପୁରସ୍କୃତ ହେବେ ।

ଲକି ଗ୍ରାହକ ବିଜେତା ପ୍ରତିଦିନ ଓ ସାପ୍ତାହିକ ଆଧାରରେ ଏବଂ ଡିଜିଧନ ବ୍ୟାପାର ଯୋଜନାର ବିଜେତା ଚୟନ କରାଯିବ ପ୍ରତି ସପ୍ତାହରେ । ଆମ୍ବେଦକର ଜୟନ୍ତୀର ମେଗା ଡ୍ର ଚୟନ କରାଯିବ, ବିଜେତାଙ୍କୁ ମିଳିବ ଏକ କୋଟି ଟଙ୍କାର ପୁରସ୍କାର । ଏହି ଡ୍ର ମାଧ୍ୟମରେ ଲକ୍ଷାଧିକ ଲୋକଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି ସରକାର । ସେହିପରି ଡିଜିଟାଲ ପେମେଂଟ ଗ୍ରହଣ କରୁଥିବା ଛୋଟ ବ୍ୟାପାରୀଙ୍କୁ ଡିଜିଧନ ଯୋଜନାରେ ମିଳିବ ପୁରସ୍କାର ।