ଏଣିକି ବିନା ଏଟିଏମ କାର୍ଡରେ ଉଠିବ ଟଙ୍କା । ICICI ବ୍ୟାଙ୍କ ଆଣିଲା ନୂଆ ସୁବିଧା, ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା ।

658

କନକ ବ୍ୟୁରୋ : ଏଣିକି ଟଙ୍କା ଉଠାଇବା ପାଇଁ ଆଉ ଏଟିଏମ କାର୍ଡର ଆବଶ୍ୟକତା ପଡିବ ନାହିଁ । ବିନା ଡେବିଟ କାର୍ଡରେ ଉଠିବ ଟଙ୍କା । ନୂଆବର୍ଷରେ ନିଜ ଗ୍ରାହକ ମାନଙ୍କୁ ଏଭଳି ଏକ ସୁବିଧା ଭେଟି ଦେଇଛି ଆଇସିଆଇସିଆଇ  ବ୍ୟାଙ୍କ । ମଙ୍ଗଳବାର ଏହି ସୁବିଧାର ଆରମ୍ଭ କରିଛି ଆଇସିଆଇସିଆଇ ବ୍ୟାଙ୍କ । Cardless cash withdrawal ସେବା ଆରମ୍ଭ ନେଇ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଡେବିଟ କାର୍ଡ ବିନା ଆଇସିଆଇସିଆଇର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ ‘imobile’ ଜରିଆରେ ଏଟିଏମରୁ ଟଙ୍କା ଉଠାଇ ପାରିବେ ଗ୍ରାହକ ।

ଆଇସିଆଇସିଆଇ ବ୍ୟାଙ୍କ୍ ଆରମ୍ଭ କରିଥିବା ଏହି ନୂଆ ସୁବିଧାରେ ଏଟିଏମ କାର୍ଡ ବିନା ସର୍ବାଧିକ ୨୦ ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ । ଡିଜିଟାଲ ଇଣ୍ଡିଆକୁ ଆଗେଇ ନେବାକୁ ବ୍ୟାଙ୍କ ପକ୍ଷରୁ ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଛି । ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡେବିଟ କାର୍ଡ ବିନା ନଗଦ ଟଙ୍କା ଉଠାଇବା ପାଇଁ ଏଭଳି ଏକ ସରଳ ଓ ସୁବିଧାଜନକ ସେବା ଆରମ୍ଭ କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କ ଡିଜିଟାଲ କାରବାରକୁ ଆଗକୁ ବଢାଇବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛି ।

ସବୁଠାରୁ ବଡ କଥା ହେଲା, ଏହି ସୁବିଧା ଦ୍ୱାରା ଗ୍ରାହକଙ୍କୁ ଆଉ ଏଟିଏମ କାର୍ଡ ସାଥୀରେ ଧରି ବୁଲିବାର ଆବଶ୍ୟକତା ରହିବନି । ଏହି ସୁବିଧା ଆଇସିଆଇସିଆଇ ବ୍ୟାଙ୍କର ୧୫ ହଜାରରୁ ଅଧିକ ଏଟିଏମରେ ଉପଲବ୍ଧ ରହିବ । ଏପରିକି ଏହି ଆପ ମାଧ୍ୟମରେ ଟଙ୍କା ଉଠାଣ ପ୍ରକ୍ରିୟା ପୂରା ସୁରକ୍ଷିତ ବୋଲି କୁହାଯାଇଛି ।

ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ପ୍ରଥମେ ପଞ୍ଜୀକୃତ ନମ୍ବରରେ ‘imobile’ ଆପ୍ ଡାଉନଲୋଡ କରିବାକୁ ପଡିବ । ଏହି ଆପରେ ଲଗ୍ ଇନ କରିବା ସହ ସର୍ଭିସ ବିକଳ୍ପ ବାଛିବା ପରେ cash withdrawal at ICICI bank ATM  ଉପରେ କ୍ଲିକ କରିବାକୁ ପଡିବ । ଏହାଦ୍ୱାରା ଏଟିଏମ ସ୍କ୍ରିନ ଉପରେ ଟଙ୍କା ଉଠାଣ ପାଇଁ ଅପସନ ଆସିବ । ଆଉ ଏହା ଉପରେ କ୍ଲିକ କରି ଟଙ୍କା ଉଠାଇ ପାରିବେ ଗ୍ରାହକ ।