ଓସିଏ ବିରୋଧରେ ମାମଲା ! ବୟସ ଜାଲିଆତି ଅଭିଯୋଗରେ ଥାନାରେ ଏତଲା ଦେଲା ଅଖୀଳ ଭାରତୀୟ ଭ୍ରଷ୍ଟାଚାର ବିରୋଧି ସଂଘ

42

କନକ ବ୍ୟୁରୋ : ଓସିଏ ବିରୋଧରେ ଥାନାରେ ମାମଲା । ବୟସ ଜାଲିଆତି ଘଟଣାରେ ଓସିଏ ପାଲଟିଛି ପ୍ରୟୋଗଶାଳା । ଏଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଛି ଅଖୀଳ ଭାରତୀୟ ଭ୍ରଷ୍ଟାଚାର ବିରୋଧି ସଂଘ । ୧୦ ଜଣ ଖେଳାଳୀ ଏବଂ ଓସିଏ ପଦାଧିକାରୀଙ୍କ ବିରୋଧ ମାମଲା କରିଛି ସଂଘ । ଓଡିଶା କ୍ରିକେଟରେ ୧୬ ଏବଂ ୧୯ ବର୍ଷ ରୁ କମ୍ କ୍ରିକେଟ ଦଳର ବୟସ ଜାଲିଆତି ଅଭିଯୋଗ କରାଯାଇ ଖେଳାଳୀଙ୍କୁ ବଛାଯାଇଛି । ଏହି ଘଟଣାରେ ଚୟନ କମିଟି ମୁଖ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଓସିଏ କାର୍ଯ୍ୟକାରୀ ସଭାପତିଙ୍କ ସଂପୃକ୍ତି ରହିଛି ବୋଲି ସଂଘ ଅଭିଯୋଗ କରିଛି ।

ଅଖୀଳ ଭାରତୀୟ ଭ୍ରଷ୍ଟାଚାର ବିରୋଧି ସଂଘ କଟକ କ୍ୟାଂଟନମେଂଟ ଥାନାରେ ଅଭିଯୋଗ କରିବା ସହ ନିରପେକ୍ଷ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି । ସେପଟେ ବୟସ ଜାଲିଆତି ଯୋଗୁଁ ବହୁ ପ୍ରତିଭାବାନ ଖେଳାଳୀଙ୍କୁ ଅଣଦେଖା କରାଯାଉଛି । ତେଣୁ ଓଡିଶା କ୍ରିକେଟର ଉନ୍ନତି ହେଉନଥିବା ବେଳେ ଭାରତୀୟ କ୍ରିକେଟ ଦଳରେ ଓଡିଶାକୁ ସ୍ଥାନ ମିଳୁନାହିଁ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ପବନ ଅଗ୍ରଓାଲ । ପ୍ରତିଭାବାନ ଖେଳାଳୀଙ୍କ ଭବିଷ୍ୟତ ସହ ଓସିଏ ଖେଳ ଖେଳୁଥିବା ଅଭିଯୋଗ ପରେ କାଠଗଡାକୁ ଟାଣି ହୋଇଯାଇଛନ୍ତି ଓସିଏ ଏବଂ ଏହାର କର୍ମକର୍ତା ।