ଆକ୍ସନ୍ ମୁଡରେ ପୁରୀ ପୁଲିସ । ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସୂତ୍ରରୁ ଖବର ନେଇ ଜୋରଦାର୍ କଲା ଗିରଫଦାରୀ ଅଭିଯାନ । ନେତାଙ୍କ ନାଁରେ ଲାଗିଲା ସଙ୍ଗିନ ଦଫା
କନକ ବ୍ୟୁରୋ: ପୁରୀ ହିଂସା ଘଟଣାରେ ପୁଲିସ ଏବେ ପୂରା ଆକ୍ସନ୍ ମୁଡରେ । ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସୂତ୍ରରୁ ପକ୍କା ଖବର ନେବା ପରେ ପୁଲିସ ଗିରଫଦାରୀ ଅଭିଯାନକୁ ଖାଲି ଜୋର୍ଦାର୍ କରିନି, ଗଣ୍ଡଗୋଳ ଏବଂ ଭଙ୍ଗାରୁଜାରେ ସଂପୃକ୍ତ ୨୩ ଜଣଙ୍କୁ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି, ୩ ତାରିଖ ହିଂସା ଘଟଣାରେ ପୁରୀ ବନ୍ଦର ନେତୃତ୍ବ ନେଉଥିବା ତଥାକଥିତ କିଛି ନେତାଙ୍କ ବିରୋଧରେ ପୁଲିସ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ବରିଷ୍ଠ ଦଇତାପତି ତଥା ନଗର କଂଗ୍ରେସ ସଭାପତି ବିନାୟକ ଦାସ ମହାପାତ୍ର, ସେବାୟତ ତଥା ବିଜେପି ସମର୍ଥିତ କର୍ମୀ ସୋମନାଥ ଖୁଣ୍ଟିଆ, ସେବାୟତ ଦାମୋଦର ଦାସ ମହାପାତ୍ର, ସେବାୟତ ତଥା ବିଜେପି କର୍ମୀ ଭବାନୀ ଦାସ ମହାପାତ୍ର, ସେବାୟତ ଦାମୋଦର ମହାସୁଆର, ଗୋପାଳ ପଣ୍ଡା ଏବଂ ଆଇନଜୀବୀ ପ୍ରସନ୍ନ ଦାଶ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଘଟଣା ଦିନ ପ୍ରଶାସନ ଡାକିଥିବା ସମସ୍ତ ଶାନ୍ତି କମିଟି ସଦସ୍ୟଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ସିଂହଦ୍ବାର, ବଡ଼ଦାଣ୍ଡ ଓ ମନ୍ଦିର ଅଫିସ ଭଙ୍ଗାରୁଜା ଘଟଣାକୁ ନେଇ ସିଂହଦ୍ବାର ଥାନା କେସ୍ ନଂ ୭୮/୧୮, କେସ୍ ନଂ ୮୨/୧୮, କେସ୍ ନଂ ୮୩/୧୮ ଓ କେସ୍ ନଂ ୮୬/୧୮ରେ ଏ ସବୁ ମାମଲା ରୁଜୁ କରାଯାଇଛି। ଦଫା ୧୪୩, ୧୪୪, ୩୫୩, ୧୪୭, ୧୪୮, ୧୨୦ ବି-୧, ୩୪୧, ୨୯୪, ୩୨୩, ୩୨୫, ୫୦୬, ୩୦୭, ୩୩୨, ୩୦୫, ୧୪୯ ଆଇପିସିରେ ଉପରୋକ୍ତ ବ୍ୟକ୍ତିମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଗିରଫ ଭୟରେ ଏହି ନେତାମାନେ ବର୍ତ୍ତମାନ ମୋବାଇଲ ବନ୍ଦ କରି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଆତ୍ମଗୋପନ କରିଛନ୍ତି।
ପୁଲିସର ଏ ପ୍ରକାର ଆଭିମୁଖ୍ୟକୁ କଂଗ୍ରେସ ନିନ୍ଦା କରିଛି। ନେତାଙ୍କୁ ଗିରଫ କରାଗଲେ ଏହାର ପ୍ରତିବାଦ କରାଯିବା ସହିତ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଧମକ ଦିଆଯାଇଛି। ସେହିପରି ଏହି ଘଟଣାରେ ବିଜେପି ଓ କଂଗ୍ରେସକୁ ସମର୍ଥନ କରୁଥିବା କିଛି ସେବାୟତଙ୍କୁ ମାମଲାରେ ଛନ୍ଦି ଦିଆଯାଇଥିବାରୁ ପୁରୀରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ଗଣ୍ଡଗୋଳ ମାମଲାରେ ଗତକାଲି ୧୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଜମ୍ବେଶ୍ବର ମହାନ୍ତି, ତପନ ସଏ, ଧନୁ ବେହେରା, ରିଙ୍କୁ ପଟ୍ଟନାୟକ, ସନ୍ତୋଷ ମହାନ୍ତି, ଶିବ ବେହେରା, ଅନନ୍ତ ସୁବୁଦ୍ଧି, ଦିଲ୍ଲୀପ ବରାଳ, ଦିଲ୍ଲୀପ ସଏ, ବାନାମ୍ବର ପଣ୍ଡା, ମୁକେଶ େଚୗଧୁରୀ ଓ ସଚ୍ଚିକାନ୍ତ ଖୁଣ୍ଟିଆ।
ସୂଚନାଯୋଗ୍ୟ, ଗତ ତିନି ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ସେଦିନ ବଡ଼ଦାଣ୍ଡରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଆନ୍ଦୋଳନର ନେତୃତ୍ବ ନେଉଥିବା ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କୁ ନିଃସର୍ତ୍ତରେ ଛାଡି ଦେଇଥିଲା। ମାତ୍ର ପୁଲିସ ଏବେ ୟୁଟର୍ଣ୍ଣ ମାରିଛି। ଶ୍ରୀ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ଥିବା ଶାନ୍ତି କମିଟିର ସମସ୍ତ ସଦସ୍ୟଙ୍କ ନାମରେ ମାମଲା ରୁଜୁ କରିଛି।