ଟ୍ରାନଜାକ୍ସନ ଫି କୁ ବିରୋଧ ! କାଲିଠାରୁ ପେଟ୍ରୋଲ୍ ପମ୍ପରେ କାର୍ଡ କାରବାର ଉପରେ କଟକଣା

88

କନକ ବ୍ୟୁରୋ : କାଲିଠାରୁ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ କାର୍ଡରେ ପେମେଂଟ୍ ନିଆଯିବ ନାହିଁ । ଦେଶର ପେଟ୍ରୋଲ ପମ୍ପ୍ ଡିଲରମାନେ ଏଭଳି ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପଗୁଡିକରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଗ୍ରହଣ କରିବେ ନାହିଁ । କେବଳ ନଗଦ ଅର୍ଥରେ ପେଟ୍ରୋଲ-ଡିଜେଲ୍ ବିକିବେ । ବ୍ୟାଙ୍କଗୁଡିକ କାର୍ଡ ପେମେଂଟ୍ ଉପରେ ୧ ପ୍ରତିଶତ ଟ୍ରାନଜାକ୍ସନ ଚାର୍ଜ ନେଉଥିବାରୁ ଏହାକୁ ବିରୋଧ କରିଛନ୍ତି ପେଟ୍ରୋଲ ପମ୍ପ୍ ମାଲିକ । ପେଟ୍ରୋଲ ଓ ଡିଜେଲ୍ ଭଳି ତୈଳଗୁଡ଼ିକ କେତେ ଲାଭରେ ବିକ୍ରି ହେବ ତାହା ସ୍ଥିର କରିଥାନ୍ତି ତୈଳ ବିପଣନ କମ୍ପାନୀ ।

ତୈଳ କାରବାର ଉପରେ ପେଟ୍ରୋଲ ପମ୍ପ୍ ମାଲିକଙ୍କୁ ମାତ୍ର ୦.୩ ପ୍ରତିଶତରୁ ୦.୫ ପ୍ରତିଶତ ପର୍ଯ୍ୟନ୍ତ ଲାଭ ମିଳିଥାଏ । ଏପରିସ୍ଥଳେ ସେମାନେ ବ୍ୟାଙ୍କ ଗୁଡ଼ିକୁ କାହିଁକି ୧ ପ୍ରତିଶତ ଫି ଦେବେ ବୋଲି ପ୍ରଶ୍ନ କରିଛନ୍ତି । କ୍ୟାସଲେସ୍ ବା ନଗଦବିହୀନ କାରବାରକୁ ସରକାର ପ୍ରୋତ୍ସାହନ ଦେବାକୁ କହୁଥିବା ବେଳେ ଏହା ତାର ବିରୋଧାଚରଣ କରୁଛି ବୋଲି କହିଛନ୍ତି ବାଂଗାଲୋର ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ସଭାପତି ବି. ବି. ରବୀନ୍ଦ୍ରନାଥ ।

ଓଡ଼ିଶାରେ ବି ପେଟ୍ରୋଲ ପମ୍ପ୍ ମାଲିକମାନେ ଆସନ୍ତାକାଲିଠାରୁ ଘରୋଇ କାର୍ଡରେ ପେମେଂଟ୍ ଗ୍ରହଣ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଆକ୍ସିସ, ଏଚଡିଏଫସି ଭଳି ଘରୋଇ ବ୍ୟାଙ୍କଗୁଡ଼ିକ ଟ୍ରାନଜାକ୍ସନ୍ ଉପରେ ୧ ପ୍ରତିଶତ ଫି ନେଉଛନ୍ତି । ଏହାକୁ ବିରୋଧ କରିଛି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ । ଆସୋସିଏସନ୍ ସାଧାରଣ ସଂପାଦକ ସଂଜୟ ଲାଠ୍ କହିଛନ୍ତି- ସରକାର କ୍ୟାସଲେସ୍ କାରବାରକୁ ପ୍ରୋତ୍ସାହିତ କରୁଥିବା ବେଳେ ଘରୋଇ ବ୍ୟାଙ୍କଗୁଡ଼ିକର ୧ ପ୍ରତିଶତ ଟ୍ରାନଜାକ୍ସନ୍ ଫିକୁ ଆମେ ବିରୋଧ କରୁଛୁ ।