ବିପଦ ମୁହଁକୁ ଠେଲି ହୋଇଯାଉଛି ସାରା ବିଶ୍ୱ ! ୨୫୦ ବର୍ଷରେ ୪୬% ବଢ଼ିଛି ଅଙ୍ଗାରକାମ୍ଳ ମାତ୍ରା

272

କନକ ବ୍ୟୁରୋ : ଦିନକୁ ଦିନ ବଢ଼ିଚାଲିଛି ପ୍ରଦୂଷଣ । ଧୀରେ ଧୀରେ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ଯାନାବାହାନ, କଳକାରଖାନା ତଥା ଦ୍ରୁତ ସହରୀକରଣ ଯୋଗୁଁ ବାୟୁରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିବାରେ ଲାଗିଛି । ଯଦ୍ୱାରା ଲୋକେ ଅନେକ ରୋଗର ଶିକାର ହେଉଛନ୍ତି । ତେବେ ଆଗାମୀ ସମୟରେ ଏହା ଅଧିକ ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଜାତିସଂଘର ବାରମ୍ବାର ପରାମର୍ଶ ସତ୍ତ୍ବେ ଦେଶ ଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଉପରେ ଯଥାବିଧି ପଦକ୍ଷେପ ନେଉନାହାନ୍ତି । ଫଳରେ ଏହି ସ୍ତର ବଢ଼ିବାରେ ଲାଗିଛି । ଗତବର୍ଷ ଏହା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି । ସେହିଭଳି ୨୫୦ ବର୍ଷ ମଧ୍ୟରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ୪୬ ପ୍ରତିଶତ ବୃଦ୍ଧି ପାଇଛି । ଜାତିସଂଘର ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗୁରୁବାର ଏଭଳି ରିପୋର୍ଟ ପ୍ରକାଶ କରିଛି ।

ସୂଚନା ଅନୁସାରେ ଅଙ୍ଗାରକାମ୍ଳ ଓ ସବୁଜଘର ବାଷ୍ପ ଦ୍ରୁତ ବେଗରେ ହ୍ରାସ ନହେଲେ ଜଳବାୟୁ ପରିବର୍ତ୍ତନ ଅଧିକ ବିଧ୍ବଂସୀ ପାଲଟିବ । ଏହାଦ୍ବାରା ବିଶ୍ବତାପନ ଅଧିକ ଚିନ୍ତାର କାରଣ ସାଜିବ । ରିପୋର୍ଟ ମୁତାବକ ୨୦୧୬ରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ୪୦୩.୩ ପିପିଏମ୍ (ପାର୍ଟସ ପର୍ ମିଲିୟନ୍) ଥିଲା ବେଳେ ୨୦୧୭ରେ ଏହା ୪୦୫.୫ ପିପିଏମ୍କୁ ବୃଦ୍ଧି ପାଇଛି । ବିଗତ ୩୦ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଳ ସ୍ତର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି । ଏଥିଯୋଗୁ ୨୦୧୭ରେ ଏଲ୍ନିନୋ ଭଳି ସମସ୍ୟା ଉପୁଜିଥିଲା । ତେଣୁ ଆଗାମୀ ଦିନରେ ଏଲ୍ନିନୋ ସମସ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି ।

ପ୍ରାକ୍ ଶିଳ୍ପାୟନ ଯୁଗ ଅର୍ଥାତ୍ ୧୭୫୦ ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ପାଇଛି। ଦ୍ରୁତ ଶିଳ୍ପାୟନ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି । ଏହି ଘଟଣାକ୍ରମେ ଜାତିସଂଘ ମାନବାଧିକାର ମୁଖ୍ୟ ମିସେଲ୍ ବେସ୍ଲେଟ୍ ସମସ୍ତ ରାଷ୍ଟ୍ରକୁ ସତର୍କ କରାଇ ଦେଇଛନ୍ତି । ଅନ୍ତର୍ଜାତୀୟ ମାନବାଧିକାର ଆଇନ ଅନୁସାରେ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଦିଗରେ ସଜାଗ ରହି ଏହାର ପ୍ରଭାବକୁ ସଙ୍କୁଚିତ କରିବା ସକାଶେ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ ପାଇଁ ପଦକ୍ଷେପ ନେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି ।