ରାଜଧାନୀରେ ବେଧଡକ୍ ବୁଲୁଛନ୍ତି କାର ଲୁଟେରା । ଖଣ୍ଡଗିରିରେ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲୁଟିନେଲେ କାର, ଲୁଟେରାଙ୍କ ଟେର୍ ପାଉନି କମିଶନରେଟ୍ ପୁଲିସ୍ ।

453

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି କାର୍ ଲୁଟେରା । ରବିବାର ଖଣ୍ଡଗିରି ନିକଟ ଆପାର୍ଟମେଂଟ୍ ସାମ୍ନାରୁ ୬ ଜଣ ଲୁଟେରା ଏକ ଇନୋଭା କାର୍ ଲୁଟି ନେଇଛନ୍ତି । କାର୍ ଲୁଟିବା ସହ ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଲୁଟେରା । ସମାନ ଭାବେ ଶନିବାର, ସିଆରପି ଛକ ନିକଟରୁ ଜଣେ ବ୍ୟକ୍ତିଙ୍କୁ କାର ସହ ଅପହରଣ କରିନେଇଥିଲେ ଲୁଟେରା ।

ମୁହଁରେ ଗୁଡା ଯାଇଥିଲା ଗାମୁଛା । ଚୋଟ ପରେ ଚୋଟର ଶିକାର ହେଉଥିଲେ ଡ୍ରାଇଭର । ହାତରେ ଥିଲା କାରର ଚାବି । ମୁଣ୍ଡ ଫାଟି ରକ୍ତର ଧାର ଛୁଟୁଥିଲା । କିଛି ବି ବୁଝିବା ଆଗରୁ ଅପହରଣ ହୋଇସାରିଥିଲେ ଡ୍ରାଇଭର । ରାଜଧାନୀର ରାସ୍ତା ଡେଇଁ ପ୍ରାୟ ୩୦ କିଲୋମିଟର ଗଡି ଚାଲିଲା ଗାଡି । ଚେତା ଫେରିଲା ବେଳକୁ ଡ୍ରାଇଭର ନିଜକୁ ଏକ ଜଙ୍ଗଲ ଭିତରେ ପାଇଥିଲେ । ରାଜଧାନୀ ଭୁବନେଶ୍ୱରରେ କାର୍ ଲୁଟ ପରେ ଲୋମଟାଙ୍କୁରା ଅନୁଭୁତି ବଖାଣିଛନ୍ତି ଅପହରଣ ପରେ ଜୀବନ ବଂଚେଇଥିବା କାରର ଡ୍ରାଇଭର ।

ଏବେ ରାଜଧାନୀକୁ ପୁଣି ଫେରିଛନ୍ତି କାର୍ ଲୁଟେରା ଗ୍ୟାଙ୍ଗ । ଟାର୍ଗେଟରେ ରହିଛି ଏସୟୁଭି କାର୍ । ଆପଣ ରାତିରେ ଏକା ଘରକୁ ଫେରୁଥିଲେ ଟିକେ ସତର୍କ ହୋଇଯାଅନ୍ତୁ । କାରଣ ଆପଣ ବି ହୋଇପାରନ୍ତି ଏମାନଙ୍କର ଶିକାର । ଖଣ୍ଡଗିରି ନିକଟ ଏକ ଆପାର୍ଟମେଂଟ ସାମ୍ନାରୁ ଇନୋଭା ଲୁଟ୍ ଘଟଣା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ରାଜଧାନୀରେ । ପୁରା ଫିଲ୍ମ ଷ୍ଟାଇଲରେ ହୋଇଛି କାର ଲୁଟ୍ । ଆସନ୍ତୁ ଜାଣିବା କେମିତି ହୋଇଥିଲା କାର୍ ଲୁଟ୍ ?

ପୂର୍ବରୁ ଛକି ରହିଥିଲେ ୬ ଲୁଟେରା । ଟାର୍ଗେଟରେ ଥିଲା ଇନୋଭା । ଡ୍ରାଇଭର କାରରୁ ଗୋଡ କାଢିବା ମାତ୍ରେ ପ୍ରଥମେ ମୁହଁକୁ ଗାମୁଛାରେ ବାନ୍ଧି ଦେଲେ, ମୁଣ୍ଡରେ ପକେଇ ଚାଲିଲେ ଚୋଟ ପରେ ଚୋଟ । ଏତିକିରେ କଥା ସରିନଥିଲା । ଗାଡି ସହ ଗୁରୁତର ଡ୍ରାଇଭରକୁ ଅପହରଣ କରିନେଲେ । ଆଉ ଚେତା ଫେରିଲା ବେଳକୁ ରାଜଧାନୀରୁ ପ୍ରାୟ ୩୦ କିଲୋମିଟର ଦୂର ଏକ ଜଙ୍ଗଲରେ ନିଜକୁ ପାଇଥିଲା ଡ୍ରାଇଭର । ଜୀବନ ବଂଚେଇବାକୁ ରାତିରେ ଯେଉଁ ଠାକୁ ଗଲେ କେହି ବି ସହାୟତାର ହାତ ବଢେଇନଥିଲେ । ଏମିତିକି ପାଣି ଟିକିଏ ବି ଦେଲେନି । ଶେଷରେ ପୋଲିସ ସହାୟତାରେ ଉଦ୍ଧାର ପରେ ଥାନାରେ ଅଭିଯୋଗ କରିଥିଲେ
ଡ୍ରାଇଭର ।

୮ ଜୁନ୍, ସ୍ଥାନ ସିଆରପି ଛକ । ଶିବସୁନ୍ଦର ଦାଶ ନାମକ ଜଣେ ବ୍ୟକ୍ତିଙ୍କୁ କାର ସହ ଅପହରଣ କରିଥିଲେ ଲୁଟେରା । ସମାନ ଷ୍ଟାଇଲରେ ୯ ଜୁନରେ ଖଣ୍ଡଗିରି ଅଂଚଳରୁ ଡ୍ରାଇଭର ସହ ଲୁଟ୍ ହେଲା ଏସୟୁଭି କାର । ରାଜଧାନୀରେ ଏପରି ଗୋଟିଏ ପରେ ଗୋଟିଏ କାର ଲୁଟ ପରେ କିନ୍ତୁ ଲୁଟେରାଙ୍କ ପତା ପାଉନି କମିଶନରେଟ୍ ପୋଲିସ ।