ଗଡ଼ିଲା ରଥ, ରଥାରୂଢ଼ ଶ୍ରୀବିଗ୍ରହଙ୍କୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ।

148

କନକ ବ୍ୟୁରୋ: ଅପେକ୍ଷାର ଅନ୍ତ ଘଟିଲା, ବଡ଼ଦାଣ୍ଡରେ ଗଡ଼ିଲା ରଥ । ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁରଙ୍କ ପରେ ଭଉଣୀ ସୁଭଦ୍ରାଙ୍କ ରଥରେ ଛେରାପହଁରା ଗଜପତି ମହାରାଜ ଶେଷ କରିବା ପରେ ରଥାରୂଢ ତିନିଠାକୁରଙ୍କୁ ଟାଣି ଟାଣି ନେଉଛନ୍ତି ଭକ୍ତ । ସବୁଠାରୁ ବଡ଼ କଥା ହେଲା କି, ଚଳିତଥର ନିର୍ଦ୍ଦାରିତ ସମୟ ପୂର୍ବରୁ ରଥ ଟଣା ହୋଇଛି । ଅପରାହ୍ନ ୪ଟା ନିର୍ଦ୍ଦାରିତ ସମୟ ହୋଇଥିଲେ ସୁଦ୍ଧା, ୨ଟା ୧୫ ମିନିଟରୁ ରଥଟଣା ଆରମ୍ଭ ହୋଇଛି ।

ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥକୁ ଭାବଭରା ମନରେ ଉତ୍ସାହର ସହ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଘଣ୍ଟକାହାଳୀ ସହ ମର୍ଦ୍ଦଳର ତାଳେ ତାଳେ ଚତୁର୍ଦ୍ଦାମୂର୍ତ୍ତି ପହଣ୍ଡିରେ ଆସି ରଥରେ ବିରାଜମାନ କରିବା ପରେ ଗଜପତିଙ୍କ ଛେରାପହଁରା ନୀତି ଶେଷ ହୋଇଥିଲା । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି ।

ଗଜପତି ପ୍ରଥମେ ବଡଠାକୁରଙ୍କ ତାଳଧ୍ୱଜ ରଥ ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଗଜପତି ଛେରାପହଁରା କରିଥିଲେ । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡୁରେ ଗଜପତି ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଛି ରଥଟଣା । ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ।