ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଉ ମାତ୍ର ୯ ଦିନ ! ଉଠିଲା ଚଉଦ ନାହାକା

33

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଉ ମାତ୍ର ୯ ଦିନ । ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥକଳା ସେତିକି ଚଳଚଞ୍ଚଳ ହୋଇଉଠୁଛି । ଗତ କାଲି ରଥ ଉପରକୁ ଛ’କାଠ ଉଠିଥିବା ବେଳେ ଆଜି ରଥ ପୋଖରିଆ ଉପରେ ଖଦିଓରା ସ୍ଥାପନ ପରେ ଓରାରେ ବିନ୍ଧ ଖୋଳାଯାଇ ଚଉଦ ନାହାକା ଉଠାଯାଇଛି ।

ପ୍ରତି ରଥରେ ନଅଟି ଲେଖାଏଁ ଖଦି ଓରା ସ୍ଥାପନ କରାଯାଇଛି । ନଡିଆ କାଠରେ ନିର୍ମିତ ଏହି ଓରାଗୁଡିକୁ ଆଜି ସ୍ଥାପନ କରାଯିବା ପରେ ଚାରି ନାହାକା ଚାରି ପାଖରେ ଚଉଦ ନାହାକା ବୁଲାଯାଇଛି । ଅନ୍ୟପଟେ ଆଜି ତିନି ରଥର ଦ୍ୱିତୀୟ ଏବଂ ତୃତୀୟ ଭୂଇଁ ଛାଞ୍ଚ ରଥଖଳାରେ ପଡ଼ିଛି ।

ଏହି ଛାଞ୍ଚକୁ ଖୋଲି ଚାରି ନାହାକା ଉପରେ ସ୍ଥାପନ କରାଯିବ । ଚଉଦ ନାହାକା ସ୍ଥାପନ ହୋଇ ସାରିଥିବାରୁ ଏହା ସିଧାସଳଖ ସ୍ଥାପନ କରାଯିବ । ତିନି ଥାକର ଭୂଇଁକୁ ଏହି ଚଉଦ ନାହାକା ଚାରି କଡରେ ସୁରକ୍ଷା ଦେବ । ଧଉରା ଓ ଅସନ କାଠରେ ତିଆରି ଚଉଦ ନାହାକା ସୁରକ୍ଷା ଦେବା ସହ ଏହାର ଡିଜାଇନ ରଥର ସୁନ୍ଦରତା ବୃଦ୍ଧି କରିବା ପ୍ରଥମ ଭୂଇଁ ଟୁଙ୍ଗୁରା ହେବା ପରେ ଖମ୍ବି ଉଠିଛି ।

ସେହିପରି ଦ୍ୱିିତୀୟ ଭୂଇଁ ଟୁଙ୍ଗୁରା ହେବା ପରେ ଖମ୍ବି ଉଠିଛି । ସମସ୍ତ ରଥର ଆଗିଆଣି ଧମକ ଲାଗିଛି । ଅନ୍ୟପଟେ କନ୍ୟାପଟା ରଙ୍ଗ ଦିଆଯାଇଛି । ତିନି ଭୂଇଁ ଉପରେ ପର୍ଯ୍ୟାୟ କ୍ରମେ ପାରାଭାଡି, ଖପୁରୀ,କଳସ ବସାଇ ରଥ ନିର୍ମାଣ କାମକୁ ଅନ୍ତିମ ରୂପ ଦିଆଯିବ ।

ଚିତ୍ରକର ସେବକ ତିନି ରଥର କୋଣ, ଗୁଜ ଏବଂ ପାର୍ଶ୍ୱ ଦେବଦେବୀଙ୍କୁ ଏବେ ରଙ୍ଗ ଦେଉଛନ୍ତି । ଜୁନ୨୫ ତାରିଖ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରଥର କଣ ଅବସ୍ଥା, ସମସ୍ତ ଚକା ଓ ଅନ୍ୟାନ୍ୟ ଅଂଶ ମଜଭୁତ ରହିଛିି କି ନାହିଁ, ଏସବୁକୁ ପୂର୍ତ୍ତ ବିଭାଗରେ ଏକ ୩ ଜଣିଆ ଦଳ ଯାଞ୍ଚ କରିଛନ୍ତି ।