ଏମିତି ବି ଆସେ ମୃତ୍ୟୁ ! ଢେଙ୍କାନାଳ ନିମବାହାଳିରେ କାର-ଟ୍ରକ ମୁହାଁମୁହିଁ ଧକ୍କା, ବାପା, ମାଆ ଓ ପୁଅ ମୃତ

33

କନକ ବ୍ୟୁରୋ : ଢ଼େଙ୍କାନାଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୫୫ ନମ୍ବର ଜାତୀୟ ରାଜପଥ ନିମବାହାଳି ଛକ ନିକଟରେ ଟ୍ରକ-କାର ମୁହାଁମୁହିଁ ଧକ୍କା ହୋଇ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଛି । ଭୂବନେଶ୍ୱରରୁ ତାଳଚେର ଯାଉଥିବାବେଳେ ଦୁର୍ଘଟଣା ଘଟି ବାପା, ମା ଓ ପୁଅର ଜୀବନ ଚାଲିଯାଇଛି । ଆଜି ଭୋର ସମୟରେ ହିଁ ଏହି ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ମୋଟଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଛେଦ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ଭୋର ପ୍ରାୟ ୪ଟା ବେଳେ ଓଡ଼ାପଡ଼ା ବ୍ଲକ୍ ସଦାଶିପବପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ,ତାଙ୍କ ପତ୍ନୀ ମୋନାଲିସା ତ୍ରିପାଠୀ ଓ ପୁଅ ସ୍ୱରୁପ ତ୍ରିପାଠୀ ଓଆର ୦୨୬୧୯୧ ନମ୍ବର ବିଶିଷ୍ଟ ଅଲଟୋ କାରରେ ତାଳଚେର ଏମସିଏଲକୁ ଯାଉଥିଲେ। ତେବେ ନିମବାହାଳି ନିକଟରେ ଏକ ଅଜଣା ଟ୍ରକ୍ ସାମନା ପଟୁ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ କାରରେ ଚାପି ହୋଇ ବାପାମାଆ ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ, ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାରରୁ ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି।