ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ପଠାଇବାକୁ ବାଟ ଖୋଲିଦେଲେ ସରକାର । କ୍ୟାପିଟାଲ ହସ୍ପିଟାଲରେ ସାତ ଦିନ ହେଲା ଅପରେସନ ବନ୍ଦ

45

କନକ ବ୍ୟୁରୋ : ସପ୍ତାହ ହେଲାଣି କ୍ୟାପିଟାଲ ହସ୍ପିଟାଲରେ ଅସ୍ତ୍ରୋପଚାର ବନ୍ଦ ରହିଛି। ସାଂସଦଙ୍କଠାରୁ ଆରମ୍ଭ କରି ବିଧାୟକ ଓ ସ୍ୱାସ୍ଥ୍ୟ ସଚିବ ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ଯୋଜନା ଉଦଘାଟନ କରୁଛନ୍ତି। ମାତ୍ର ଓଟି କିପରି ଖୋଲିବ ତାହା ପାଇଁ କିଛି ଯୋଜନା ହୋଇପାରୁନି। ଅପରପକ୍ଷରେ କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ପରେ ନୂତନ ବିଭାଗ ଖୋଲିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର। ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା ମଧ୍ୟ କରାଯାଉଛି। ମାତ୍ର ସାଧାରଣ ସମସ୍ୟାକୁ ଦୂର କରିବା ବେଳକୁ କେହି ଦୃଷ୍ଟି ଦେଉ ନାହାନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଆନେସ୍ଥେସିଆ ବିଶେଷଜ୍ଞଙ୍କ ଅଭାବରୁ ରେଗୁଲାର ଓଟିକୁ ଗତ ୨୪ତାରିଖରୁ ବନ୍ଦ ରହିଥିଲେ ତାଙ୍କ ବଦଳରେ ଏ ପର୍ଯ୍ୟନ୍ତ କାହାରିକୁ ନିଯୁକ୍ତି ଦିଆଯାଇ ନାହିଁ। ପ୍ରତ୍ୟେକ ଦିନ ହସ୍ପିଟାଲରେ ଅତିକମରେ ୪/୫ଜଣ ରୋଗୀଙ୍କ ଅସ୍ତ୍ରୋପଚାର ହେଉଥିବା ବେଳେ ତାହା ବନ୍ଦ ହୋଇଯିବା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ଯାହାକି ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ଯିବା ପାଇଁ ବାଧ୍ୟ କରିଛି। ଅପରପକ୍ଷରେ ହସ୍ପିଟାଲରେ ଆଉ କୌଣସି ନୂତନ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଆଡିମଟ ନ କରିବା ପାଇଁ ନିର୍ଦେଶ ଦିଆଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ୩ଟି ଓଟି ମଧ୍ୟରୁ ୨ଟି ଓଟି ଏବେ ଚାଲୁଛି। ଅସ୍ଥିଶଲ୍ୟ ବିଭାଗ ଓଟି ଦୀର୍ଘ ବର୍ଷ ହେବ ବନ୍ଦ ହୋଇଯାଇଥିବା ବେଳେ ରେଗୁଲାର ଓଟି ଓ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଉ ଏକ ଓଟି ରହିଛି। ହସ୍ପିଟାଲରେ ଏଥିପାଇଁ ୪ଟି ଆନେସ୍ଥେସିଆ ବିଶେଷଜ୍ଞ ପଦବି ରହିଛି। ତେବେ ଏଥିରୁ ଜଣଙ୍କର ଦେହାନ୍ତ ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କ ବଦଳି ହୋଇଯାଇଛି। ଆଉ ରହିଥିବା ୨ଜଣଙ୍କ ମଧ୍ୟରୁ ଜଣେ ଦୁଇ ଦିନ ତଳେ ସ୍ୱାସ୍ଥ୍ୟଗତ କାରଣ ପାଇଁ ୧ମାସ ପାଇଁ ଛୁଟି ନେଇଛନ୍ତି। ଯାହାଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ରେଗୁଲାର ଓଟିକୁ ବନ୍ଦ ରଖିବା ପାଇଁ ବାଧ୍ୟ ହୋଇଛନ୍ତି।

ଅପରପକ୍ଷରେ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଥିବା ଓଟି ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଓଟି ପାଇଁ ୩ଜଣ ଠିକା ଆନେସ୍ଥେସିଆ ବିଶେଷଜ୍ଞଙ୍କୁ ନିଯୁକ୍ତି କରାଯାଇଛି। ତେବେ ଏହା ୨୪ଘଣ୍ଟା ପାଇଁ ଚାଲୁଥିବାରୁ ରେଗୁଲାର ଓଟିରେ ଥିବା ଜଣେ ଆନେସ୍ଥେସିଆ ବିଶେଷଜ୍ଞଙ୍କୁ ରାତିରେ ଡ୍ୟୁଟି କରିବାକୁ ପଡ଼ିଥାଏ। ତେବେ ଏବେ ଜଣେ ମାତ୍ର ରେଗୁଲାର ଆନେସ୍ଥେସିଆ ବିଶେଷଜ୍ଞ ରହିଥିବା ବେଳେ ସପ୍ତାହର ୭ଦିନ ପାଇଁ ରାତି ଡ୍ୟୁଟି କରିବାକୁ ନେଇ ସମସ୍ୟା ରହିଛି। ଯଦି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏହି ଓଟି ରାତିରେ ବନ୍ଦ ହୋଇଯାଏ ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ଏହା ଆହୁରି ବଢ଼ାଇ ଦେବ। ଯଦିଓ ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ଆନେସ୍ଥେସିଆ ବିଶେଷଜ୍ଞଙ୍କୁ ଆଣିବା ପାଇଁ ନିଷ୍ପତ୍ତି ହୋଇଛି ତେବେ ସେ କେବେ କ୍ୟାପିଟାଲ ହସ୍ପିଟାଲକୁ ଆସିବେ ତାହା ସ୍ଥିର ହୋଇନାହିଁ। ଫଳରେ ଏହି ସମସ୍ୟା ଦୀର୍ଘଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଶଙ୍କା କରାଯାଉଛି।

କ୍ୟାପିଟାଲ ହସ୍ପିଟାଲରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ଆଉ କୌଣସି ରୋଗୀଙ୍କୁ ଆଡମିଟ କରାଯାଉ ନାହିଁ। ତେବେ ସ୍ତ୍ରୀ ଓ ପ୍ରସୂତି ଓ୍ଵାର୍ଡରେ ଅସ୍ତ୍ରୋପଚାରକୁ ନେଇ ଆଗାମୀ ଦିନରେ ସମସ୍ୟା ଉପୁଜିପାରେ। ତେବେ ସ୍ୱାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ଜଣାଇ ଦିଆଯାଇଛି। ଆନେସ୍ଥେସିଆ ବିଶେଷଜ୍ଞ ନିଯୁକ୍ତ ହେଲେ ପୂର୍ବଭଳି ପୁଣି ଅସ୍ତ୍ରୋପଚାର କରାଯିବ ବୋଲି ସେ କହିଛନ୍ତି।