‘ବ୍ଲୁହ୍ୱେଲ’ ଗେମକୁ ବନ୍ଦ କରିବା ଅସମ୍ଭବ ! ସୁପ୍ରିମକୋର୍ଟକୁ କହିଲେ କେନ୍ଦ୍ର ସରକାର

62

କନକ ବ୍ୟୁରୋ : ‘ବ୍ଲୁହ୍ୱେଲ’ ଗେମକୁ ବନ୍ଦ କରିବା ଅସମ୍ଭବ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି କେନ୍ଦ୍ର ସରକାର । ଏହା ଆପ ବେସଡ ଖେଳ ହୋଇନଥିବାରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ଯୁକ୍ତି ଦର୍ଶାଇଛନ୍ତି କେନ୍ଦ୍ରସରକାର । ତା ସହ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

‘ବ୍ଲୁ ହ୍ୱେଲ’ ଗେମ ଦ୍ୱାରା ପ୍ରଭାବିତ ହୋଇ ଋଷିଆର ୧୩୦ ଯୁବକ-ଯୁବତୀ ମୃତ୍ୟୁବରଣ କରିବା ପରେ ଏହାର ଭୟବହତା ବିଷୟରେ ଜଣାପଡିଥିଲା । ଏହି ଭୟଙ୍କର ଗେମ ବିଷୟରେ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଗତ ଅକ୍ଟୋବର ମାସରେ ତଳ କୋର୍ଟ ବିଶେଷଜ୍ଞମାନଙ୍କୁ ନେଇ ଏହି ଭୟଙ୍କର ଗେମ ଉପରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସମାଜସେବୀ ତଥା ଆଇନଜୀବୀ ସ୍ନେହ କଲିତ ଏହା ଉପରେ ଆବେଦନ କରିଥିଲେ ।

‘ବ୍ଲୁହ୍ୱେଲ’ଗେମକୁ ‘ଆତ୍ମହତ୍ୟାର ଖେଳ’ବୋଲି କୁହାଯାଉଛି । ଏହା ଛୋଟ ପିଲାଙ୍କୁ ବେଶି ଆକୃଷ୍ଟ କରୁଛି ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଂଜକୁ ସାମ୍ନା କରିବା ପାଇଁ ପ୍ରବର୍ତ୍ତାଉଛି । ଏବଂ ଶେଷରେ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି । ‘ବ୍ଲୁହ୍ୱେଲ’ ଗେମ ଏକ ଜାତୀୟ ସମସ୍ୟା । ପୂର୍ବରୁ ସୁପ୍ରିମକୋର୍ଟ ଏହି ଗେମର ଭୟାବହତା ବିଷୟରେ ସଚେତନ କରାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଦୂରଦର୍ଶନ କେନ୍ଦ୍ର ଓ ଘରୋଇ ଟିଭି ଚ୍ୟାନେଲଗୁଡିକ ପ୍ରାଇମ ଟାଇମ ପ୍ରୋଗ୍ରାମରେ ଏହି ଗେମକୁୁ ନେଇ ସଚେତନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।