ପୁଳାଏ ଟଙ୍କିକିଆ କଏନ୍ ନେଇ ନାମାଙ୍କନ ପତ୍ର କିଣିବାକୁ ପହଞ୍ଚିଲେ ପ୍ରାର୍ଥୀ । ଟଙ୍କା ଗଣି ଗଣି ଝାଳନାଳ ହେଲେ ନିର୍ବାଚନ ଅଧିକାରୀ ।

243

କନକ ବ୍ୟୁରୋ : ଝାଡ଼ଖଣ୍ଡର ଗଢ଼ବା ବିଧାନସଭା କ୍ଷେତ୍ରରେ ନାମାଙ୍କନ ପତ୍ର କିଣିବାକୁ ଯାଇଥିବା ଜଣେ ପ୍ରାର୍ଥୀଙ୍କ ପାଇଁ ଝାଳନାଳ ହୋଇଯାଇଛନ୍ତି ନିର୍ବାଚନ ଅଧିକାରୀ । କାରଣ ନାମାଙ୍କନ ପତ୍ର କିଣିବାକୁ ବିଧାୟକ ପ୍ରାର୍ଥୀ ଜଣକ କଏନ ନେଇ ପହଁଚିଯାଇଥିଲେ, ଯାହାକୁ ଗଣିବାକୁ ନିର୍ବାଚନ ଅଧିକାରୀ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମିଳିଥିବା ସୂଚନା ମୁତାବକ ଶିବସେନାର ପ୍ରାର୍ଥୀ ମନୀଷ କୁମାର ଗୁପ୍ତା ଗଢ଼ବା ବିଧାନସଭା କ୍ଷେତ୍ର ପାଇଁ ନାମାଙ୍କନ ପତ୍ର କିଣିବାକୁ ପହଂଚିଥିଲେ । ନାମାଙ୍କନ ପତ୍ର କିଣିବାକୁ ୧୦ ହଜାର ଟଙ୍କା ଅର୍ଥ ଦେବାକୁ ଥିଲା । ଏହି ଦଶ ହଜାର ଟଙ୍କା ମଧ୍ୟରୁ ୬ ହଜାର ୩୦୦ ଟଙ୍କାର ଟଙ୍କିକିଆ କଏନ ସାଥିରେ ନେଇ ଯାଇଥିଲେ ।

ପ୍ରଥମେ ଯେତେବେଳେ ଏହି କଏନ ଭର୍ତ୍ତି ବ୍ୟାଗକୁ ସେ ଅଧିକାରୀଙ୍କୁ ଦେଇଥିଲେ ଏହାକୁ ନେବାକୁ ଅଧିକାରୀ ଜଣକ ମନା କରିଦେଇଥିଲେ । ପରେ କିନ୍ତୁ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ନିର୍ଦ୍ଦେଶ ପରେ ମନୀଷଙ୍କର ଏହି ସବୁ କଏନକୁ ଅଧିକାରୀ ଜଣକ ନେଇଥିଲେ । ଏହି ୬ ହଜାର ୩୦୦ ଟଙ୍କାର କଏନ ଗଣିବାକୁ କର୍ମଚାରୀମାନଙ୍କୁ ବେଶ ପରିଶ୍ରମ କରିବାକୁ ପଡିଥିଲା । ୨୦୧୪ ମସିହାରେ ମଧ୍ୟ ମନୀଷ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ କିନ୍ତୁ ହାରି ଯାଇଥିଲେ ।

ସେହିଦିନ ଠାରୁ ୨୦୧୯ ନିର୍ବାଚନରେ କିଭଳି ବାଜିମାତ କରିବେ ଓ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ସେଥିପାଇଁ ପ୍ରତିଦିନ କିଛି କିଛି ଅର୍ଥ ସଂଚୟ କରୁଥିଲେ । ଏଭଳି ଭାବେ ପାଞ୍ଚ ବର୍ଷ ମଧ୍ୟରେ ସେ ୧ ଲକ୍ଷ ୧୦ ହଜାର ଟଙ୍କାର ଟଙ୍କିକିଆ କଏନ ଜମା କରିଥିଲେ । ବର୍ତ୍ତମାନ ନାମାଙ୍କନ ପତ୍ର କିଣିବାକୁ ସେ ୬ ହଜାର ୩୦୦ ଟଙ୍କାର କଏନ ବ୍ୟବହାର କରିଥିବାବେଳେ ବଳକା ଅର୍ଥ ନିର୍ବାଚନ ପ୍ରଚାରରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଏଥର ଶିବସେନା ପକ୍ଷରୁ ଟିକେଟ ଦିଆଯାଇଥିବାରୁ ମନୀଷ ଜିତିବେ ବୋଲି ବେଶ ଆଶାବାଦୀ ଅଛନ୍ତି ।