ମହମବତୀ ଓ ମୋବାଇଲ ଆଲୁଅରେ ଚାଲିଛି ରୋଗୀସେବା ! ସବୁବେଳେ ଲୋଭୋଲଟେଜ ସମସ୍ୟା ଯୋଗୁଁ ସମସ୍ତ ଯନ୍ତ୍ରାଶ ଖରାପ ।

41

ମହମବତୀ ଓ ମୋବାଇଲ ଲାଇଟରେ ଚାଲିଛି ରେଗୀ ସେବା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗାଁର ପ୍ରତ୍ୟେକ ପରିବାର ନିର୍ଭରଶୀଳ ଥିବା ବେଳେ ଏଠାରେ ଏକ ବଡ ସମସ୍ୟା ସାଜିଛି ବିଦ୍ୟୁତ ସରବରାହ ।

ସୂଚନା ଅନୁଯାୟୀ, ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରତିଦିନ ପ୍ରାୟ ୧୫୦ ରୁ ୨୦୦ ଲୋକ ଚିକିତ୍ସା ପାଇଁ ଆସିଥାନ୍ତି । ହେଲେ ଏଠାରେ ମୂଖ୍ୟ ସମସ୍ୟା ହେଉଛି ବିଦ୍ୟୁତ ସରବରାହ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁବେଳେ ଲୋ-ଭୋଲଟେଜ୍ ସମସ୍ୟା ଦେଖା ଦେଉଥିବାରୁ ରୋଗୀଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି । ଡାକ୍ତରମାନେ ନାନା ପ୍ରକାର ଅସୁବିଧଆର ସମ୍ମୁଖିନ ହେଉଛନ୍ତି । ଠିକ ଭାବରେ ରୋଗୀଙ୍କୁ ଚିକିତ୍ସା କରିହେଉ ନାହିଁ । ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଅତ୍ୟାଧୁନିକ ଉପକରଣ ରହିଛି । ହେଲେ ନିଜସ୍ୱ ଟ୍ରାନ୍ସଫରମ ନଥିବାରୁ ଏବଂ ଲୋ-ଭୋଲଟେଜ କାରଣରୁ ସେହି ଉପକରଣ ଗୁଡିକର ବ୍ୟବହାର ସମ୍ଭବ ହୋଇପାରୁ ନାହିଁ । ଏହି ଭଳି ପରିସ୍ଥିତିରେ ଯଦି କରେଣ୍ଟ କଟିଯାଏ ତେବେ ମୋବାଇଲ ଲାଇଟ କିମ୍ବା ମହମବତୀ ଆଲୁଅ ଏକ ମାତ୍ର ବିକଳ୍ପ ହୋଇଥାଏ । ଏକଥା ଆମେ କହୁନାହୁଁ ଏକଥା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ନିଜେ ସ୍ୱୀକାର କରିଛନ୍ତି । ତେଣୁ ଏଭଳି ପରିସ୍ଥିତିରୁ ବାହାରିବା ପାଇଁ ଏବଂ ଡାକ୍ତରଖାନାରେ ସ୍ୱତନ୍ତ୍ର ଟ୍ରାନ୍ସଫରମ ଲଗାଇବା ଦାବୀ ଜୋର ଧରିଛି ।

ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଡାକ୍ତର ଖାନାରେ ବେଳେ ବେଳେ ଇନଭରଟରରେ ଚିକିତ୍ସା କରାଯାଇଥାଏ । କିନ୍ତୁ ଇନଭରଟରରୁ ବି ଚାର୍ଜ ସରିଯାଉଥିବାରୁ ଚିକିତ୍ସାରେ ବାଧା ସୃଷ୍ଟି ହୋଇଥାଏ । ତେବେ ବିଭିନ୍ନ ସମୟରେ ଏହି ଲୋ-ଭୋଲଟେଜ ପ୍ରସଙ୍ଗକୁ ବୈଠକରେ ଉପସ୍ଥାପନା କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରି ନାହିଁ ।