କ୍ୟାନସର ରୋଗୀଙ୍କ ପାଇଁ ଖୁସିଖବର । ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ, ଖୁବଶୀଘ୍ର ଚିହ୍ନଟ ହେବ ସ୍ଥାନ

25

କନକ ବ୍ୟୁରୋ : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ । ଏନେଇ ସ୍ଥାନ ଚିହ୍ନଟ ଖୁବଶୀଘ୍ର ହେବ ଏବଂ ଗ୍ରୀନଫିଲ୍ଡ ମେମୋରିଆଲ ହସ୍ପିଟାଲ ନାମରେ ଏହା ନାମିତ ହେବ । ଆଜି ରାଜ୍ୟ ସଚିବାଳୟରେ ଟାଟା ଗ୍ରୁପ୍ ଓ ରାଜ୍ୟ ସରକାର ମଧ୍ୟରେ ପ୍ରଥମ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତ୍ରିସ୍ତରୀୟ ହେବ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରେ ସୁପର ସ୍ପେସାଲିଟି ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର ହସ୍ପିଟାଲକୁ ଉନ୍ନତିକରଣ କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ସରକାରୀ ମେଡିକାଲ କଲେଜରେ କ୍ୟାନସର ଚିକିତ୍ସା ଲାଗି ଉନ୍ନତିକରଣ କରାଯିବ ଏବଂ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୩ଟି ଜିଲ୍ଲାରେ ଡିଷ୍ଟ୍ରିକ୍ଟ ସେଂଟର ଖୋଲାଯାଇ କ୍ୟାନସର ଡାଇଗ୍ନୋସିସ୍ କରାଯିବାର ବ୍ୟବସ୍ଥା କରାଯିବ ବୋଲି ଆଜି ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ୫ ବର୍ଷ ମଧ୍ୟରେ ଶେଷ ହେବ ଓ ଖର୍ଚ୍ଚ ଅଟକଳ ୧ହଜାର କୋଟି ହୋଇଥିବାବେଳେ ରାଜ୍ୟ ଓ ଟାଟା ଟ୍ରଷ୍ଟ ୫୦ ପ୍ରତିଶତ ଲେଖାଏଁ ଖର୍ଚ୍ଚ କରିବେ । ଖୁବଶୀଘ୍ର ଓଡିଶା କ୍ୟାନସର କେୟାର ଫାଉଣ୍ଡେସନ୍ ଗଠନ ହେବ ଓ ସମସ୍ତ କାର୍ଯ୍ୟ ଏହାର ତତ୍ୱାବଧାନରେ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଏନେଇ ଗତ ମେ ମାସରେ ରାଜ୍ୟ ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ସେତେବେଳେ ଏହି ହସ୍ୱିଟାଲ ପାଇଁ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । ଏହି ହସ୍ୱିଟାଲ ନିର୍ମାଣ ହେବା ପରେ ଓଡିଶାରେ କ୍ୟାନସର ରୋଗ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିବ ।