ଦିଲ୍ଲୀ ପରିସ୍ଥିତି ସଙ୍ଗୀନ୍, ବିଶୁଦ୍ଧ ବାୟୁ ପାଇଁ ଲୋକଙ୍କ ଆର୍ତ୍ତଚିତ୍କାର: ବୋତଲରେ ବିକ୍ରି ହେଉଛି ବିଶୁଦ୍ଧ ବାୟୁ,୧୦ ଲିଟରକୁ ୫୫୦ ଟଙ୍କା

676

ଦିଲ୍ଲୀ ଅବସ୍ଥା ସାଂଘାତିକ ହୋଇ ପଡ଼ିଛି। ବିଶୁଦ୍ଧ ବାୟୁ ଟିକେ ମିଳୁନି। ପ୍ରଦୂଷଣ ମାତ୍ରା ଏତେ ଅଧିକ ବଢ଼ିଯାଇଛି ଯେ ଲୋକେ ପ୍ରତିଟି ଶ୍ବାସ ପ୍ରଶ୍ବାସରେ କେବଳ ବିଷ ବାୟୁ ଗ୍ରହଣ କରୁଛନ୍ତି। ଏଥିଲାଗି ଅନେକ ରୋଗବ୍ୟାଧିର ଶିକାର ହେବାକୁ ପଡ଼ୁଛି। କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଶୁଦ୍ଧ ବାୟୁ ପାଇଁ ବି ଏବେ ଲୋକଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଗତ ଦୁଇବର୍ଷ ହେବ ଦିଲ୍ଲୀରେ ବାୟୁର ମାନ ଅତି ଦୟନୀୟ ଭାବେ କମିଛି। କିନ୍ତୁ ଏବେ ଏହି ସ୍ତର ଅତି ଉତ୍କଟଜନକ ହୋଇପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ଗେଲ୍ (ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍) ଏକ ଅଭିଯାନ ଆରମ୍ଭ କରିଥିଲା। ସେତେବେଳେ ଦିଲ୍ଲୀରେ ବିଶୁଦ୍ଧ ବାୟୁ ବିକ୍ରି ହେବା ଚିନ୍ତାଧାରା ପ୍ରକାଶ କରାଯାଇଥିଲା। ଯଦିଓ ସେତେବେଳ ଏହା କେବଳ ଏକ ଚେତାବନୀ ଥିଲା। ଏବେ କିନ୍ତୁ ଏହା ଏକ ଦୁଃଖଦ ବାସ୍ତବତାରେ ପରିଣତ ହୋଇଛି। ଏବେ ଅନେକ କମ୍ପାନି ତଥା ଔଜେର, ଭାଇଟାଲିଟି ଏୟାର, ଏବଂ ଇଣ୍ଡିଆନ ବ୍ରାଣ୍ଡ୍ ପିଓର ହିମାଳୟନ ଏୟାର ଏବେ ବୋତଲରେ ବିଶୁଦ୍ଧ ବାୟୁ ବିକିବା ଆରମ୍ଭ କରିଦେଇଛନ୍ତି। ଏବେ ପିଓର ହିମାଳୟନ ଏୟାର ୧୦ ଲିଟର ବିଶୁଦ୍ଧ ବାୟୁକୁ ୫୫୦ ଟଙ୍କାରେ ବିକୁଛି।

ଏକ କାନାଡ଼ା କମ୍ପାନି ଭାଇଟାଲିଟି ଏୟାର ପ୍ରଥମେ ବୋତଲରେ ସ୍ବଚ୍ଛ ବାୟୁ ବିକିବା ଆରମ୍ଭ କରିଥିଲା। ଏହାପରେ ଅଷ୍ଟ୍ରେଲୀୟ କମ୍ପାନି ଔଜେର ମଧ୍ୟ ବିଶୁଦ୍ଧ ବାୟୁ ବିକିବା ଆରମ୍ଭ କରିଦେଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆମେ ପ୍ରତି ମିନିଟରେ ୮-୧୦ ଲିଟର ବିଶୁଦ୍ଧ ବାୟୁ ଗ୍ରହଣ କରୁଛୁ। ତେଣୁ ଗାଣିତିକ ଦୃଷ୍ଟିକୋଣରୁ ଦେଖିଲେ ବୋତଲରୁ ବିଶୁଦ୍ଧ ବାୟୁ ଗ୍ରହଣ କରିବା ଅତି ମହଙ୍ଗା ପଡ଼ିଯିବ ଏବଂ ଏହା ମଧ୍ୟ ଅସମ୍ଭବ ବ୍ୟାପାର।