ଖଲିସ୍ତାନ ଆତଙ୍କବାଦୀ ସହ ଫଟୋକୁ ନେଇ ଚର୍ଚ୍ଚା ଭିତରେ ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ କାନାଡା ପ୍ରଧାନମନ୍ତ୍ରୀ : ଜସପାଲ ଅଟୱଲ ସହ ଫଟୋ ଉଠାଇଥିଲେ ଜଷ୍ଟିନ ଟ୍ରୁଡ଼ୋଙ୍କ ପତ୍ନୀ

37

କନକ ବ୍ୟୁରୋ : ଭାରତ ଗସ୍ତର ପଂଚମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ । ଦୁଇ ନେତାଙ୍କ ଭିତରେ ସାକ୍ଷାତରେ ବିଳମ୍ବକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ଏନେଇ ଟ୍ୱିଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କାନାଡା ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଭେଟିବା ଲାଗି ସେ ବିଶେଷ ଆଗ୍ରହୀ ବୋଲି ଟ୍ୱିଟ କରିଥିଲେ ମୋଦି । ଏପରିକି ୨୦୧୫ ତାଙ୍କ କାନାଡା ଗସ୍ତ ସମୟର ଏକ ଫଟୋକୁ ମଧ୍ୟ ଟ୍ୟାଗ କରିଥିଲେ । ଏହାପରେ ଆଜି ଦିଲ୍ଲୀରେ ଦୁଇ ନେତାଙ୍କ ମଧ୍ୟରେ ରାଷ୍ଟ୍ରପତି ଭବନରେ ସାକ୍ଷାତ ହୋଇଛି । ଜଷ୍ଟିନ ଟ୍ରୁଡ଼ୋଙ୍କ ପୁଅ, ଝିଅଙ୍କ ସହ ମଧ୍ୟ ମୋଦି ଫଟୋ ଉଠାଇଛନ୍ତି ।

ଖଲିସ୍ତାନ ଆନ୍ଦୋଳନର ସମର୍ଥକ ଜସପାଲ ଅଟୱଲକୁ କାନାଡାର ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ସହ ତାଙ୍କ ଫଟୋକୁ ନେଇ ବେଶ ବିବାଦରେ ରହିଛି ଜଷ୍ଟିନ ଟ୍ରୁଡ଼ୋଙ୍କ ଏହି ଗସ୍ତ । ଏପରିକି ପ୍ରଧାନମନ୍ତ୍ରୀ ମୋଦି ଆଜିଯାଏ ତାଙ୍କୁ ସାକ୍ଷାତ ନକରିବା ପଛରେ ଏହା ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ପଂଜାବ ଗସ୍ତ ସମୟରେ କାନାଡା କୌଣସି ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି ବୋଲି କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଆଶ୍ୱାସନା ଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସାକ୍ଷାତ କରିଥିବା କୁହାଯାଉଛି । ଦୁଇ ନେତାଙ୍କ ମଧ୍ୟରେ ଆଜି ଦିଲ୍ଲୀରେ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।