ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସରେ ହିଂସା ! ବିଜେବି କଲେଜରେ ସାଇନ-ଏ-ଡାଏ ଘୋଷଣା ପରେ ରାସ୍ତାରୋକ

35

କନକ ବ୍ୟୁରୋ: ଆଜି ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରାଯାଉଛି । ବାଣୀବିହାର ସମେତ ରାଜ୍ୟର ବିଭିନ୍ନ କଲେଜରେ ନାମାଙ୍କନ କରାଯାଉଛି । ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରୁଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାର୍ଥୀ । ଏଥିପାଇଁ କଲେଜ ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

ନାମାଙ୍କନ ପରେ ପ୍ରାର୍ଥୀପତ୍ର ଯାଂଚ, ପ୍ରତ୍ୟାହାର ପରେ ୨୨ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ ହେବ । ପ୍ରାର୍ଥୀମାନେ ନିଜର ଭାଷଣ ମାଧ୍ୟମରେ ନିଜ ସପକ୍ଷରେ ଛାତ୍ରଛାତ୍ରୀ ଆଣିବା ପାଇଁ ଚେଷ୍ଟା କରିବେ । ୨୩ ତାରିଖରେ ନିର୍ବାଚନ ହେବ ଏବଂ ଫଳାଫଳ ପ୍ରକାଶ ପାଇବ । ଗତକାଲି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହଠାତ ରାଜ୍ୟର ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ସରଗରମ ହୋଇଉଠିଛି । କାରଣ କଲେଜ ନିର୍ବାଚନ ଏବେ ରାଜନୈତିକ ଦଳଗୁଡିକର ପ୍ରୟୋଗଶାଳା ପାଲଟିଛି ।

ଅନ୍ୟପଟେ ପୁରୀ ବ୍ରହ୍ମଗିରିର ଅଲାରନାଥ କଲେଜରେ ବୋମାମାଡ଼ ହୋଇଛି । ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ବାଇକରେ ୨ଦୁର୍ବୃତ୍ତ ଆସି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଗୋଟିଏ ଅôଫୁଟା ବୋମା କଲେଜ ପରିସରରେ ପଡିରହିଥିବା ଦେଖିବାକୁ ମିଳିଛି । ପୁଲିସ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛି । ନିର୍ବାଚନୀ ହିଂସାକୁ ନେଇ ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।

ସେପଟେ ଛାତ୍ର ଅଶାନ୍ତି କାରଣରୁ ବିଜେବି କଲେଜ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଛାତ୍ରୀନିବାସ ଉପରେ ଘନଘନ ବୋମାମାଡ ହେବା ପରେ କଲେଜ କର୍ତୃପକ୍ଷ ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛନ୍ତି । ଏହାପରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ରାଜନୈତିକ ଉଦେଶ୍ୟ ରଖି କଲେଜରେ ନିର୍ବାଚନ ବାତିଲ କରାଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ରାତିରେ ବସିଥିବା କଲେଜ ଅଧ୍ୟାପକ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ବାଚନ ବନ୍ଦ ନେଇ ନିଷ୍ପତି ନିଆଯାଇଛି । କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ-ଏ-ଡାଏ ଘୋଷଣା କରାଯାଇଛି । ଆଜି ସନ୍ଧ୍ୟାସୁଦ୍ଧା କଲେଜ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘୋଷଣାରେ କ୍ଷୁବ୍ଧ ଛାତ୍ରଛାତ୍ରୀ ରାତିରେ ରାସ୍ତା ଅବରୋଧ କରିବା ସହିତ ଭଙ୍ଗାରୁଜା କରିଛନ୍ତି ।