କ୍ୟାମ୍ପସ ପଲିଟିକ୍ସ ! ଏବେ ଠାରୁ କ୍ୟାମ୍ପସରେ ବାଜିଲାଣି ନିର୍ବାଚନୀ ହାୱା ।

39

ଛାତ୍ର ସଂସଦ ନିର୍ବାଚନକୁ ଆହୁରି ପାଖାପାଖି ୫ ମାସ ରହିଥିଲେ ସୁଦ୍ଧା ଏବେଠାରୁ କ୍ୟାମ୍ପସ ଗୁଡିକରେ ସୃଷ୍ଟି ହେଲାଣି ରାଜନୈତିକ ମାହୋଲ । ଚଳିତ ବର୍ଷ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡିକରେ ଆରମ୍ଭ ହୋଇଯାଇଛି ପ୍ରବେଶିକା ପରୀକ୍ଷା । ତେବେ ପ୍ରବେଶିକା ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗିପଡିଛନ୍ତି ସମସ୍ତ ଛାତ୍ର ସଂଗଠନ ।

ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ମେ ୬ ତାରିଖରୁ ଆରମ୍ଭ ହୋଇଯାଇଛି ୨୦୧୮-୨୦ ଶିକ୍ଷାବର୍ଷ ପାଇଁ ପ୍ରବେଶିକା ପରୀକ୍ଷା । ବିଶ୍ୱବିଦ୍ୟାଳୟରେ ଥିବା ୨୭ଟି ପିଜି ବିଭାଗ ଏବଂ ସେଲ୍ଫ ଫାଇନାନ୍ସ କୋର୍ସ ପାଇଁ ଚାଲିଛି ପ୍ରବେଶିକା ପରୀକ୍ଷା । ତେବେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବେଠାରୁ ଦେଖାଗଲାଣି ରାଜନୈତିକ ମାହୋଲ । ପ୍ରବେଶିକା ପରୀକ୍ଷା ଦେବା ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାପାଇଁ ଲାଗିପଡିଛନ୍ତି ତିନି ପ୍ରମୁଖ ରାଜନୈତିକ ଦଳର ଛାତ୍ର ସଂଗଠନ । ବିଜୁ ଛାତ୍ର ଜନତା ଦଳ, ଛାତ୍ର କଂଗ୍ରେସ ବା ଏନଏସୟୁଆଇ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ରମାନେ ନିଜ ନିଜ ‘ହେଲ୍ପ ଡେସ୍କ’ ପକାଇ ଛାତ୍ରଛାତ୍ରୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରିସାରିଲେଣି ।

ହେଲ୍ପ ଡେସ୍କ ରାଜନୀତି :

ତେବେ ଏହି ଦୌଡରେ ଟିକିଏ ଆଗରେ ରହିଛି ବିଜୁ ଛାତ୍ର ଜନତା ଦଳ । କ୍ୟାମ୍ପସ ପରିସରରେ ଲାଗିଛି ୫ଟି ଟେଣ୍ଟ । ଛାତ୍ର କଂଗ୍ରେସ ଏବଂ ଏବିଭିପି ଗୋଟିଏ ଗୋଟିଏ ‘ହେଲ୍ପ ଡେସ୍କ’ ପକାଇଥିବା ବେଳେ ଛାତ୍ର ବିଜେଡି ଦୁଇ ଦୁଇଟି ‘ହେଲ୍ପ ଡେସ୍କ’ ସହ ଏକ ଜଳଛତ୍ରର ମଧ୍ୟ ଆୟୋଜନ କରିଛି । ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ସକାଳ ୭ ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କ୍ୟାମ୍ପସରେ ତିନୋଟି ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହୁଛନ୍ତି । ଏପରିକି କ୍ୟାମ୍ପସ ଭିତରେ ବିଭାଗ ଗୁଡିକ ଦୂରରେ ରହିଥିବାରୁ ଛାତ୍ରମାନେ ବାଇକ ଯୋଗେ ପରୀକ୍ଷାର୍ଥୀଙ୍କୁ ନେଇ ପରିକ୍ଷା କେନ୍ଦ୍ରରେ ଛାଡୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ଛାତ୍ର ସଂସଦ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ସୁଦ୍ଧା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ନିର୍ବାଚନ ହୋଇପାରେ । କିନ୍ତୁ ୫ ମାସ ଆଗରୁ କ୍ୟାମ୍ପସ ହାତେଇବା ପାଇଁ ତିନି ଛାତ୍ର ସଂଗଠନ ଏବେ ଠାରୁ ଲାଗିପଡିଲେଣି ।

ଗତ ବର୍ଷ ନିର୍ବାଚନୀ ହିଂସା କାରଣରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ସହ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ତେବେ ପ୍ରତିବର୍ଷ ଉତ୍କଳ ବିଶ୍ୱବିଦ୍ୟାଳରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଏବେ ଠାରୁ ତିନୋଟି ଛାତ୍ର ସଂଗଠନ ତତ୍ପର ହୋଇ ଉଠିଥିବାରୁ ସୁରକ୍ଷାକୁ ନେଇ ଚିନ୍ତାରେ ରହିଛନ୍ତି ବିଶ୍ୱବିଦ୍ୟାଳୟ  କର୍ତ୍ତୃପକ୍ଷ । କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହୁଥିବାରୁ କ୍ୟାମ୍ପସରେ ପୋଲିସ ମୁତୟନ ହେଇଥିବାର ମଧ୍ୟ ଦେଖିବାକୁ ମିଳୁଛି ।