ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ପାଇଁ ଆଉ ୩୬ ଘଂଟାରୁ କମ ସମୟ ବାକି । ଭୋଟରଙ୍କୁ ମନାଇବା ପାଇଁ ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଜନତାଙ୍କୁ ନିଜ ସପକ୍ଷରେ କରିବାକୁ ଭିନ୍ନ ଭିନ୍ନ କୌଶଳ ଆପଣଉଛନ୍ତି ନେତା

136

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ସରୁଛି ନିର୍ବାଚନ ପ୍ରଚାର । ଆସନ୍ତା ୧୧ ତାରିଖରେ ହେବ ୪ଟି ଲୋକସଭା ଆସନ ଓ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ପ୍ରଚାର ଶେଷ ପର୍ଯ୍ୟାୟରେ ପହିଂଚିଥିବା ବେଳେ ଦଳ ବଳ ଧରି ପୁରା ଦମରେ ଲାଗି ପଡିଛନ୍ତି ପ୍ରାର୍ଥୀ । ଶେଷ ମୁହୂର୍ତରେ ଭୋଟରଙ୍କ ମନ ଜିଣିବାକୁ ସବୁ ଦଳର ପ୍ରାର୍ଥୀ ଜୋରସୋର ଉଦ୍ୟମ ଚଳାଇଛନ୍ତି ।

କଟକ, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ବ୍ରହ୍ମପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ କରାଯିବ । ନବରଙ୍ଗପୁରରେ ଯୋର ଧରିଛି ପ୍ରଚାର ଲଢେଇ । ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଦଳୀୟ କର୍ମୀ, ସମର୍ଥକଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି । କଟକରେ ଯୋରସୋରରେ ପ୍ରଚାର ଚାଲିଛି । ଏଥର କଟକ ଲୋକସଭା ଆସନ ପାଇଁ ତିନି ଦଳର ହେଭିୱେଟ ନେତାଙ୍କ ପ୍ରଚାର ଲଢେଇ ନିର୍ବାଚନ ମୈଦାନରେ ଦେଖିବାକୁ ମିଳୁଛି । କଟକ ଲୋକସଭା ଆସନ ପାଇଁ ବିଜେଡି ପୁରୁଣା ମୁହଁ ତଥା ସାଂସଦ ଭର୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଛି ।

ନବୀନ ସରକାରଙ୍କ ବିକାଶ କାମକୁ ମୁଖ୍ୟ ପ୍ରସଙ୍ଗ କରି ସେ ଭୋଟରଙ୍କୁ ନିକଟକୁ ଯାଉଛନ୍ତି । ସେପଟେ ପୂର୍ବତନ ପୁଲିସ ପ୍ରଶାସକ ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । କେନ୍ଦ୍ରୀୟ ଯୋଜନା ଓ ମାଦିଙ୍କ ହାୱାକୁ ଆୟୁଧ କରି ପ୍ରଚାର କରୁଛନ୍ତି ପ୍ରକାଶ ମିଶ୍ର । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ ଗୋ କଂଗ୍ରେସ ଟିକେଟରେ ଏଥର ନିର୍ବାଚନ ଲଢୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ଏଥର କଟକ ଲୋକସଭା ଆସନରେ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ କଳାହାଣ୍ଡି ଓ ନୂଆପଡାରେ ମଧ୍ୟ ଯୋର ଧରିଛି ପ୍ରଚାର । ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭକ୍ତଦାସ ଭୋଟ ପାଇଁ ଗାଁ ଗାଁ ବୁଲୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବିଫଳତା, ଆଦିବାସୀଙ୍କ ସମସ୍ୟା, ନିୟମଗିରି, ବେଦାନ୍ତ କମ୍ପାନୀ ଆଦି ପ୍ରସଙ୍ଗରେ ସେ ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି । ସେହିପରି ବିଜେଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ନବୀନ ପଟ୍ଟନାୟକଙ୍କ ବିକାଶ ନାରାକୁ ନେଇ ପ୍ରଚାର କରୁଛନ୍ତି । ସେପଟେ ବିଜେପି ରାଜ୍ୟସଭାପତି ବସନ୍ତ ପଣ୍ଡା ଏଥର ଲୋକସଭା ନିର୍ବାଚନ ଲଢୁଛନ୍ତି । କେନ୍ଦ୍ର ସରକାରଙ୍କୁ ଜନକଲ୍ୟାଣକାରୀ ଯୋଜନା ଓ ମୋଦି ହାୱାକୁ ସେ ପ୍ରଚାରରେ ମୁଖ୍ୟ ଅସ୍ତ୍ର କରିଛନ୍ତି । ସେହିପରି ଧର୍ମଗଡ, ଜୁନାଗଡ, ଭବାନୀପାଟଣା, କେସିଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳିରେ ମଧ୍ୟ ବିଧାୟକ ପ୍ରାର୍ଥୀମାନେ ଯୋରଦାର ପ୍ରଚାର କରୁଛନ୍ତି ।

ବ୍ରହ୍ମପୁରରେ ପ୍ରଚାର ସରଗରମ ଦେଖିବାକୁ ମିଳିଛି । ବିଜେଡି ଲୋକସଭା ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ, କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁ ଓ ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ପ୍ରଚାର ଯୋରସୋର କରିଛନ୍ତି । ସେହିପରି ସବୁ ବିଧାୟକ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ନିଜ ନିଜ ନିର୍ବାଚନ ମଣ୍ଡଳିରେ ଭୋଟରଙ୍କୁ ପାଖକୁ ଯାଇ ଭୋଟ ଦେବାକୁ ନିବେଦନ କରୁଛନ୍ତି ।

ସେହିପରି ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ରମେଶଚନ୍ଦ୍ର ମାଝି ହୋଇଥିବା ବେଳେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି । ଏଥର ନବରଙ୍ଗରପୁରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ନବୀନଙ୍କ ବିକାଶ ନାରା ନେଇ ରମେଶ ମାଝି ପ୍ରଚାର କରୁଛନ୍ତି ।

ସେହିପର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଯୋରସୋରରେ ପ୍ରଚାର ଚଳାଇଛନ୍ତି । ମୋଦି ହାୱାକୁ ମୁଖ୍ୟ ଅସ୍ତ୍ର କରି ସେ କ୍ୟାମ୍ପେନିଂ କରୁଛନ୍ତି । ସେହିପରି ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ଦଳବଳ ସହ ପ୍ରଚାର କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଖ୍ୟ ମୁଦ୍ଦା କରିଛନ୍ତି ।