ବିଜେପୁରରେ ଜମୁଛି ପ୍ରଚାର ! ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ଦଳର କସରତ

27

କନକ ବ୍ୟୁରୋ : ବିଜେପୁର ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେପୁର ଉପନିର୍ବାଚନ ତାତି ଧୀରେ ଧୀରେ ବଢିବା ଆରମ୍ଭ କଲାଣି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଘମାଘୋଟ ପ୍ରଚାର ଚଳାଇଛନ୍ତି । ଉପନିର୍ବାଚନ ଫଳାଫଳ କଣ ହେବ, ସେ ନେଇ ରାଜନୈତିକ ମହଲରେ ମଧ୍ୟ ଉତ୍କଣ୍ଠା ବଢିବାରେ ଲାଗିଲାଣି । କାହା ଆଡକୁ ଜନମତ ଢଳୁଛି, କିଏ ଛିଡୁଛି ଓ କିଏ ବଢୁଛି, ତାକୁ ନେଇ ହିସାବ ନିକାସ ଜାରି ରହିଛି । ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ଏହି ଉପନିର୍ବାଚନକୁ ସବୁ ଦଳ ପାଇଁ ଅଗ୍ନି ପରୀକ୍ଷା ବୋଲି କହୁଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗିରିରାଜ ସିଂ ଓ ସିନେତାରକା ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିବେ । ସେପଟେ ବିଜେଡି ମଧ୍ୟ ପ୍ରଚାରକୁ ଜୋରଦାର କରିଛି । ବହୁ ବରିଷ୍ଠ ନେତା ଓ ଫିଲ୍ମଷ୍ଟାର ପ୍ରଚାରରେ ସାମିଲ ହୋଇଛନ୍ତି । କାଲିଠୁ ମୁଖ୍ୟମନ୍ତ୍ରୀ ପ୍ରଚାରରେ ସାମିଲ ହେବ । କଂଗ୍ରେସ ମଧ୍ୟ ଶଗଡ ଶୋଭାଯାତ୍ରା ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ।

ଆସନ୍ତାକାଲି ବିଜେପୁରରେ ଦେଖିବାକୁ ମିଳିବ ହାଇଭୋଲଟେଜ ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କାଲି ବିଜେପୁର ଯାଇ ଦୁଇଦିନ ପାଇଁ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିବେ । ସେହିଭଳି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ବିଜେପି ପାଇଁ ପ୍ରଚାର କରିବେ । ବିଜେପୁରରେ ଆୟୋଜିତ ବିଭିନ୍ନ ନିର୍ବାଚନ ରାଲିକୁ ସେ ସମ୍ବୋଧିତ କରିବେ । କାଲି ହାଇଭୋଲଟେଜ ପ୍ରଚାରକୁ ଦେଖି ବିଜେପୁରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।