ପାଖଉଛି ନିର୍ବାଚନ, ଜୋର ଧରୁଛି ପ୍ରଚାର ! ହାତ ଯୋଡି ଜନତାଙ୍କ ଶରଣରେ ନେତା, କରୁଛନ୍ତି ଭୋଟ୍ ଭିକ୍ଷା ।

76

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଛାତିରେ ସେତିକି ଛନକା ପଶୁଛି । କଳେ ବଳେ କୌଶଳେ ଜନତାଙ୍କ ପାଖରେ ପହଂଚିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ନେତା । ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବାଇକ ରାଲି ଶୋଭାଯାତ୍ରାରେ ଜନତାଙ୍କ ନିକଟରେ ଭୋଟ ଭିକ୍ଷା କରୁଛନ୍ତି ନେତା । ୨୦୧୯ ପାଇଁ ଚାଲିଥିବା ଏହି କ୍ୟାମ୍ପେନିଂରେ କୌଣସି ମୌକାକୁ ହାତଛଡା କରିବାକୁ ଚାହୁନାହାନ୍ତି ନେତା । ତେଣୁ ଗଳିକନ୍ଦିରେ ପହଂଚି ଭୋଟ ହାତେଇବାକୁ କରୁଛନ୍ତି ଜୋରଦାର ଉଦ୍ୟମ । ଆସନ୍ତୁ ଜାଣିବା ୨୦୧୯ ପାଇଁ କେମିତି ଚାଲିଛି ନେତାଙ୍କ ପ୍ରଚାର ।

ପାଖେଇଲା ନିର୍ବାଚନ । ଜୋର ଧରିଲା ପ୍ରଚାର । ଯେମିତି ବି ହେଉ ଜନତାଙ୍କ ପାଖରେ ପହଂଚିବାକୁ ପ୍ରୟାସ । ହାତ ଯୋଡି ଜନତାଙ୍କ ଶରଣରେ ନେତା । ନୟାଗଡ ବିଧାନସଭା ଆସନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେପି ପ୍ରାର୍ଥୀ ଇରାନୀ ରାୟ । ବିଜେଡି ପ୍ରାର୍ଥୀ ଅରୁଣ ସାହୁଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ଇରାନୀ ରାୟ । ଘରେ ଘରେ ବୁଲି ଭୋଟ ଭିକ୍ଷା କରୁଛନ୍ତି ଇରାନୀ । ମୋଦିଙ୍କ ବିକାଶମୂଳକ ଯୋଜନା ନେଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

ସେହିପରି ସରଗରମ ହୋଇଛି ବୌଦ୍ଦର ରାଜନୀତି । ଏଠାରେ ଏପ୍ରିଲ ୧୮ ତାରିଖରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ବଢିଛି ରାଜନୈତିକ ଉଷ୍ମତା । ଗାଁ ଗାଁରେ ଦଳୀୟ ପ୍ରାର୍ଥୀମାନେ କରୁଛନ୍ତି ସାଧାରଣ ସଭା । କଂଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମହିଧର ରଣା ଜିତିବା ପାଇଁ ପୁରା ଦମରେ ଲାଗି ପଡିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନ ମଧ୍ୟ ରାହୁଲ ଗାନ୍ଧୀଙ୍କ ସ୍କିମର ପ୍ରଚାର କରୁଛନ୍ତି ।

ଧାନନଗର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ସମର୍ଥକମାନେ ରାଲି କରି ପାଛୋଟି ନେଇଛନ୍ତି । ସେହିପରି ଭଦ୍ରକ ବିଧାନସଭା ପ୍ରାର୍ଥୀ ସଂଜୀବ ମଲ୍ଲିକ କରିଛନ୍ତି ଶକ୍ତି ପ୍ରଦର୍ଶନ । ଦଳୀୟ କର୍ମୀ ସଂଜୀବଙ୍କୁ ନେଇ ବିରାଟ ଶୋଭାଯାତ୍ରା ମାଧ୍ୟମରେ ପତିଆରା ଦେଖାଇଛନ୍ତି । ସେପଟେ ଜୋର ଧରିଛି ଦିଗପହଣ୍ଡି ରାଜନୀତି । ବିଜେଡିର ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଟକ୍କର ଦେଉଛନ୍ତି ବିଜେପିରେ ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପିଙ୍କି ପ୍ରଧାନ । ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ସୂର୍ଯ୍ୟ ପାତ୍ର । ସେହିପରି ପିଙ୍କି ପ୍ରଧାନ ନିଜେ ସ୍କୁଟି ଚଲାଇ ବାଇକ୍ ରାଲି ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ସେପଟେ କନ୍ଧମାଳ ଲୋକସଭା ଆସନ ପାଇଁ ବିଜେଡିର ଅଚ୍ୟୁତ ସାମନ୍ତ, ବିଜେପିର ଖାରବେଳ ସ୍ୱାଇଁ ଓ କଂଗ୍ରେସର ମନୋଜ ଆଚାର୍ଯ୍ୟଙ୍କ ମଧ୍ୟରେ ହେଉଛି ତ୍ରିମୁଖୀ ଲଢେଇ । ଦଳୀୟ କର୍ମୀଙ୍କ ସହ ରାଲି କରି ଶକ୍ତି ପ୍ରଦର୍ଶନ କରିବା ସହ ଘର ଘର ବୁଲି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛନ୍ତି ।