ରମାଦେବୀରେ ଜମୁଛି ପ୍ରଚାର ! ସବୁ ପ୍ରାର୍ଥୀଙ୍କ ଗୋଟିଏ ମୁଦ୍ଦା ‘ଫୁଟ ଓଭର ବ୍ରିଜ’

24

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ସବୁ କ୍ୟାମ୍ପସରେ ଉକ୍ରଣ୍ଠା ଲାଗି ରହିଥିବା ବେଳେ ପ୍ରଚାର ବି ଫକା ପଡୁନି । ବିଭିନ୍ନ ଇସ୍ୟୁ ନେଇ ପ୍ରାର୍ଥୀ ପ୍ରଚାର କରୁଛନ୍ତି । ତେବେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଥର ଇସ୍ୟୁ ରହିଛି ଫୁଟ ଓଭର ବ୍ରିଜ । ସବୁ ସଙ୍ଗଠନର ପ୍ରାର୍ଥୀ ଏଇ ସମାନ ଇସ୍ୟୁକୁ ଉଠାଇଛନ୍ତି ।

ନିର୍ବାଚନ ପାଇଁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଚାଲିଛି ଜୋରଦାର ପ୍ରଚାର। ଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଲାଗପଡ଼ିଛନ୍ତି ୩ଟି ଯାକ ସଙ୍ଗଠନର ପ୍ରାର୍ଥୀ। ଛାତ୍ର ବିଜେଡି ଗତଥର ହାରିଥିବାରୁ ଏଥର କଲେଜ ସମସ୍ୟାକୁ ନେଇ ଛାତ୍ରୀଙ୍କ ନିକଟରେ ପହଞ୍ଚୁଛନ୍ତି ସଭାପତି ପ୍ରାର୍ଥୀ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ।

ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତା ପାର ହେବା ସମୟରେ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଦୂର କରାଯାଉ ନାହିଁ। ଯେଉଁଥିପାଇଁ ଛାତ୍ରୀମାନେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଲାଗି ଏଥର ଚାପ ପକାଯିବ। ସଭାପତି ହୁଏ କି ନ ହୁଏ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ, ଅଧ୍ୟାପକ ପଦବି ପୂରଣ, ଛାତ୍ରୀନିବାସ ସିଟ୍ ସଂଖ୍ୟା ବୃଦ୍ଧି, ଲାଇବ୍ରେରି, ଶ୍ରେଣୀଗୃହ ସମସ୍ୟାର ସମାଧାନ ଦିଗରେ ଛାତ୍ରୀଙ୍କ ସହ ରହିଛି, ରହିବି।

ଏବିଭିପିରୁ ସଭାପତି ପ୍ରାର୍ଥୀ ହୋଇଥିବା ତନ୍ମୟୀ ହୋତା ମଧ୍ୟ ଫୁଟ୍ ଓଭରବ୍ରିଜ୍କୁ ଇସ୍ୟୁ କରିଛନ୍ତି। ତନ୍ମୟୀ କହିଛନ୍ତି ଯେ, ଛାତ୍ରୀଙ୍କ ସହ ମିଶି କ୍ୟାମ୍ପସର ବିକାଶ ଲାଗି କାର୍ୟ୍ୟ କରିବି। ଦୀର୍ଘଦିନ ହେଲା ‘ଫୁଟ ଓଭରବ୍ରିଜ୍’ ଲାଗି ଦାବି ହେଉଛି। ଗତବର୍ଷ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦିଆଯାଇଥିଲା। ହେଲେ କିଛି ସୁଫଳ ମିଳିଲାନି। ଏଥର ଅଧିକ ଚାପ ପକାଇ ଦାବି ହାସଲ ଲାଗି ଉଦ୍ୟମ କରିବି। ପିଜିରେ ନୂତନ ବିଭାଗ ଖୋଲିବା, ଅଧ୍ୟାପକ ପଦବି ପୂରଣ ପରି କ୍ୟାମ୍ପସର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିବି।

ଛାତ୍ର କଂଗ୍ରେସରୁ ସଭାପତି ପ୍ରାର୍ଥୀ ହୋଇଥିବା ସୁଶ୍ରୀ ସଙ୍ଗୀତା ମହାପାତ୍ର ମଧ୍ୟ ସମାନ ଢଙ୍ଗରେ ଛାତ୍ରୀଙ୍କ ନିକଟରେ ପହଞ୍ଚୁଛନ୍ତି। ସେ କହିଛନ୍ତି ଯେ, ଫୁଟ୍ ଓଭରବ୍ରିଜ୍ ନ ଥିବାରୁ ଛାତ୍ରୀମାନେ ଭୟରେ ରାସ୍ତା ପାର ହେଉଛନ୍ତି। ବାରମ୍ବାର ଦୁର୍ଘଟଣା ହେଉଛି। ବ୍ରିଜ୍ ନିର୍ମାଣ ଲାଗି ଦାବି ହେଉଥିଲେ ମଧ୍ୟ ସୁଫଳ ମିଳୁନି। ତେଣୁ ଏଥର ଛାତ୍ରୀଙ୍କ ସମସ୍ୟାର ସମାଧାନ ଦିଗରେ କାର୍ୟ୍ୟ କରିବି। ବିଶ୍ୱବିଦ୍ୟାଳୟକୁ ଦ୍ୱିତୀୟ କ୍ୟାମ୍ପସର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ମହର୍ଷିରେ ପ୍ରାର୍ଥୀ ପାଉନି ଛାତ୍ର ବିଜେଡି
ନିର୍ବାଚନ ଲାଗି ବିଭିନ୍ନ କ୍ୟାମ୍ପସରେ ପ୍ରଚାର ଚାଲିଥିବା ବେଳେ ମହର୍ଷି କଲେଜରେ ଏବେ ଫିକା ପଡ଼ିଛି। କୌଣସି ବି ସଙ୍ଗଠନ ଏପର୍ୟ୍ୟନ୍ତ ଠିକ୍ ଭାବେ ପ୍ରାର୍ଥୀ ଚୟନ କରିପାରି ନାହାନ୍ତି। ଏବିଭିପି ପକ୍ଷରୁ ନାମ ଘୋଷଣା ହୋଇଥିଲେ ବି ପ୍ରଚାର ସେଭଳି ଜମିନି। ଛାତ୍ର ବିଜେଡି ଏପର୍ୟ୍ୟନ୍ତ ପ୍ରାର୍ଥୀ ଚୟନ କରିପାରି ନାହିଁ। ୨ରୁ ୩ ଜଣ ଆଶାୟୀ ପ୍ରାର୍ଥୀ ରହିଥିଲେ ମଧ୍ୟ ପରୀକ୍ଷାଫଳ ବାହାରି ନ ଥିବାରୁ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ବଢ଼ୁଛି।

ଗତବର୍ଷ ଉପସ୍ଥାନ ନ ଥିବାରୁ ସବୁ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚବେଳେ କଟିଯାଇଥିଲା ଏବଂ ନିର୍ବାଚନକୁ ବାତିଲ୍ କରି ଦିଆଯାଇଥିଲା। ଏଥର ଯେମିତି ସେଭଳି ନ ହୁଏ ସେଥିପ୍ରତି ସବୁ ସଙ୍ଗଠନ ଗୁରୁତ୍ୱ ଦେଉଛନ୍ତି। ତେଣୁ ପରୀକ୍ଷାଫଳ ପ୍ରକାଶ ଉପରେ ସବୁ କିଛି ନିର୍ଭର କରୁଛି।