କେମ୍ବ୍ରିଜ ଆନାଲିଟିକା ଡାଟା ଲିକ୍କୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ବିବାଦ ଥମିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଏଜେନ୍ସି ଭାରତରେ ନେଇଥିବା କାମର ସବିଶେଷ ବିବରଣୀକୁ ସାର୍ବଜନିନ କରିଛନ୍ତି କ୍ରିଷ୍ଟୋଫର ୱାଇଲି  । କ୍ରିଷ୍ଟୋଫରଙ୍କ ଏହି ସୂଚନାରୁ ଜଣାପଡୁଛି ଯେ, ରାଜନୈତିକ ଦଳ ଜାତି ଗଣନା ନେଇ କେମ୍ବ୍ରିଜ ଆନାଲିଟିକାରୁ ତଥ୍ୟ ସଂଗ୍ରହ କରିଥିଲେ  ।
କେମ୍ବ୍ରିଜ ଆନାଲିଟିକାର ଡାଟା ଲିକ୍କୁ ନେଇ ନୂଆ ତଥ୍ୟ ରଖିଛନ୍ତି କ୍ରିଷ୍ଟୋଫର ୱାଇଲି । ସେ କହିଛନ୍ତି ୨୦୧୦ ନିର୍ବାଚନରେ ବିହାରରେ ଜେଡିୟୁ ପାଇଁ କେମ୍ବ୍ରିଜ ଆନାଲିଟିକା କାମ କରିଥିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଜାତିଗତ ତଥ୍ୟ ଯୋଗାଇବା ପାଇଁ ଜେଡିୟୁ କହିଥିଲା । କେବଳ ଜେଡିୟୁ ନୁହେଁ ଅନ୍ୟ କେତେକ ରାଜନୈତିକ ଦଳକୁ ମଧ୍ୟ ଜାତି ସଂକ୍ରାନ୍ତୀୟ ତଥ୍ୟ ଯୋଗାଇଥିଲା କେମ୍ବ୍ରିଜ ଆନାଲିଟିକା । ତେବେ ଜନତା ଦଳ କେମ୍ବ୍ରିଜ ଆନାଲିଟିକାର ସେବା କେବେ ନେଇନାହିଁ ବୋଲି ଜେଡିୟୁ ପକ୍ଷରୁ କୁହାଯାଇଛି  । ନିର୍ବାଚନ ରଣନୀତି ପାଇଁ ଦଳ କେବେ ଏପରି ପ୍ରୟାସ କରିନାହିଁ ବୋଲି ଜେଡିୟୁ ସ୍ପଷ୍ଟ କରିଛି  । ସେପେଟ ଡାଟା ଚୋରିକୁ ନେଇ ପରସ୍ପର ଉପରେ ପୁଣି ଦୋଷ ଲଦିଛନ୍ତି ବିଜେପି ଓ କଂଗ୍ରେସ ।
କେମ୍ବ୍ରିଜ ଆନାଲିଟିକା ନିକଟରେ ଭାରତର ୬ଶହ ଜିଲ୍ଲାର ୭ଲକ୍ଷ ଗ୍ରାମବାସୀଙ୍କ ଡାଟା ଥିବା କଥା କୁହାଯାଉଛି  । ୱାଇଲିଙ୍କ ସୂଚନା ଆଧାରରେ ଏଥିରେ ଲୋକଙ୍କ ଜାତିଗତ ତଥ୍ୟଠାରୁ ଆରମ୍ଭ କରି ପ୍ରତି ଘରର ସମସ୍ତ ତଥ୍ୟ ରହିଛି । ୨୦୧୨ରେ ଏକ ରାଷ୍ଟ୍ରୀୟ ଦଳ ପାଇଁ କାମ କରିଛି କେମ୍ବ୍ରିଜ ଆନାଲିଟିକା  । ଉତ୍ତରପ୍ରଦେଶରେ ଜାତିଗତ ତଥ୍ୟ ସବୁ ଯୋଗାଡ କରି ଦଳକୁ ଯୋଗାଇଥିଲେ । ୨୦୧୧ରେ ଏକ ସର୍ଭେ କରାଯାଇଥିଲା ଯେଉଁଥିରେ ଘର ଘର ବୁଲି ଲୋକଙ୍କ ଜାତିଗତ ତଥ୍ୟ ସଂଗ୍ରହ କରିଥିଲା  । ୨୦୦୯ ନିର୍ବାଚନରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ କାମ କରିଥିଲା କେମ୍ବ୍ରିଜ ଆନାଲିଟିକା । ୨୦୦୭ରେ ଏକ ରାଜନୈତିକ ଦଳ ପାଇଁ ରାଜନୈତିକ ସର୍ଭେ କରାଯାଇଥିଲା । ଏହାସହ ୨୦୦୭ରେ  କେରଳ, ପଶ୍ଚିମବଙ୍ଗ, ଆସାମ, ବିହାର ଓ ଝାଡଖଣ୍ଡ ପାଇଁ ମଧ୍ୟ ରିସର୍ଚ୍ଚ କାମ କରିଥିଲା କେମ୍ବ୍ରିଜ ଆନାଲିଟିକା ।
କେମ୍ବ୍ରିଜ୍ ଆନାଲିଟିକା ଭଳି କମ୍ପାନୀ ଫେସବୁକରେ ୟୁଜର୍ସଙ୍କୁ ନେଇ ଅନଲାଇନ ସର୍ଭେ କରନ୍ତି । ବିଶେଷ କରି ଫେସବୁକ ୟୁଜର୍ସଙ୍କ ବ୍ୟବହାର ଶୈଳୀ, ପସନ୍ଦ, ନାପସନ୍ଦ, ଏବଂ କାର୍ଯ୍ୟଧାରାକୁ ନେଇ ଡାଟା ସଂଗ୍ରହ କରାଯାଏ । ପ୍ରଥମେ କେମ୍ବ୍ରିଜ ଆନାଲିଟିକା ଭଳି କମ୍ପାନୀ ଅନଲାଇନ ପୋଲ ପାଇଁ ଫେସବୁକକୁ ଅନୁମତି ମାଗନ୍ତି । ଆଉ ଅନୁମତି ମିଳିବା ପରେ ଅନଲାଇନ ପୋଲ ହୁଏ । ଏଥିରେ ଯେଉଁ ଡାଟା ସଂଗୃହୀତ ହୁଏ, ତାକୁ ବିଭିନ୍ନ ରାଜନୈତିକ ଦଳକୁ ଦିଆଯାଏ । ରାଜନୈତିକ ଦଳ ମାନେ ଭୋଟରଙ୍କ ବ୍ୟବହାର ଶୈଳୀ ଜାଣିବା ପରେ ସେମାନଙ୍କୁ ଆକୃଷ୍ଟ କରିବାକୁ ସେହି ଅନୁସାରେ ନିଜ ନିଜର ଯୋଜନା କରିଥାନ୍ତି ।