ପାଠ ଘରେ ଶୂନ ! ପିଲା ଚିହ୍ନି ପାରୁନାହିଁନ୍ତି ଅକ୍ଷର, ପଢ଼ି ପାରୁନାହାଁନ୍ତି ଶବ୍ଦ

111

କନକ ବ୍ୟୁରୋ : ପିଲାଙ୍କୁ ଆସୁନି ପାଠ । ପିଲାମାନେ ନା’ ଅକ୍ଷର ଚିହ୍ନିପାରୁଛନ୍ତି, ନା’ ଶବ୍ଦ ପଢ଼ିପାରୁଛନ୍ତି । ସାମ୍ନାକୁ ଆସିଛି ଓଡ଼ିଶାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷାର ନଗ୍ନ ଚିତ୍ର । ସିଏଜି ଦେଇଥିବା ରିପୋର୍ଟ ବୟାନ୍ କରୁଛି, ଓଡ଼ିଶାରେ କେମିତି ଭୁଷୁଡି ପଡୁଛି ଶିକ୍ଷା ବ୍ୟବସ୍ଥା । ଦୁଇବର୍ଷ ଧରି ଓଡ଼ିଶାର ୬ଟି ଜିଲ୍ଲାରେ ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଏକ ସର୍ଭେ ହୋଇଥିଲା । ଯେଉଁଥିରେ ପିଲାଙ୍କ ସାହିତ୍ୟ, ଗଣିତ ଏବଂ ସାମାଜିକ ବିଜ୍ଞାନର ଜ୍ଞାନ ନେଇ ଅନୁଧ୍ୟାନ କରାଯାଇଥିଲା ।

ରିପୋର୍ଟ ଅନୁସାରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬% ପିଲା ଅକ୍ଷର ଚିହ୍ନି ପାରୁ ନାହାଁନ୍ତି । ଆଉ ୮୦ ପ୍ରତିଶତ ଛାତ୍ରଛାତ୍ରୀ ଶବ୍ଦ ପଢ଼ି ପାରୁନାହାଁନ୍ତି । ଓଡ଼ିଶାର ୬ଟି ଜିଲ୍ଲାର ୩୩୩ଟି ସ୍କୁଲରେ ନମୂନା ସର୍ଭେକ୍ଷଣ ପରେ ସାମ୍ନାକୁ ଆସିଛି ଏଭଳି ତଥ୍ୟ । ଯାହା ବୟାନ କରୁଛି ଓଡ଼ିଶାରେ କେମିତି ଚାଲିଛି ପାଠପଢ଼ା ?

ପିଲାଙ୍କୁ ଆସୁନି ଗଣିତ , ବୁଝିପାରୁ ନାହାନ୍ତି ସାମାଜିକ ବିଜ୍ଞାନ :
ଆମ ପିଲା ନା’ ଅଙ୍କ କଷି ପାରୁଛନ୍ତି, ନା ସାମାଜିକ ବିଜ୍ଞାନ ବୁଝିପାରୁଛନ୍ତି । ଗଣିତରେ ୨୭ରୁ ୪୧% ପ୍ରତିଶତ ଭିତରେ ସୀମିତ ରହୁଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀ । ସେହିପରି ସାମାଜିକ ବିଜ୍ଞାନରେ ୨୭ରୁ ୩୯% ମାର୍କରେ ସୀମିତ ରହୁଛନ୍ତି । ୬ଟି ଜିଲ୍ଲାର ୪ହଜାର ୯୮୩ ଜଣ, ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ହୋଇଥିବା ନମୂନା ସର୍ଭେର ଫଳାଫଳ ଏହାହିଁ ବୟାନ କରୁଛି ।

ସିଏଜି ଏଭଳି ତଥ୍ୟ ଲୋକଲୋଚନଙ୍କୁ ଆଣିବା ପରେ କନକ ନ୍ୟୁଜ୍ ପହଂଚିଥିଲା ଢ଼େଙ୍କାନାଳ ଜିଲ୍ଲାର ଏକ ସ୍କୁଲରେ । ଯେଉଁଠି କୁନି କୁନି ପିଲାମାନେ ଠିକରେ ଅକ୍ଷର ବି ଚିହ୍ନି ପାରୁନାହାଁନ୍ତି । ଆଉ ସବୁଠାରୁ ବଡ଼ କଥାହେଲା ଏଭଳି ତଥ୍ୟ ସଂପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଜଣାଅଛି । ଯେଉଁଥି ପାଇଁ ତ, ଏହି ରିପୋର୍ଟରେ କିଛି ସତ୍ୟତା ଥିବା ସ୍ୱୀକାର କରିଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ।

ମନ୍ତ୍ରୀଙ୍କ ବୟାନ ଭିତରେ ଶିକ୍ଷାବିତ୍ କିନ୍ତୁ ଉଠାଇଛନ୍ତି ସଂସ୍କାରର କଥା । ଆନୁସଙ୍ଗିକ ପାଠ୍ୟକ୍ରମ ଏବଂ ଶିକ୍ଷକଙ୍କ ନିଯୁକ୍ତ ବ୍ୟତୀତ ଦୁର୍ବଳ ପିଲାଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍ ।ଯେତେବେଳେ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବାକୁ ସ୍କୁଲରେ ଶିକ୍ଷକ ନାହାଁନ୍ତି । ପିଲାଙ୍କ ପାଖରେ ଆବଶ୍ୟକ ପାଠ୍ୟପୁସ୍ତକ ପହଂଚି ପାରୁନି ନାହିଁ । ଆମ ରାଜ୍ୟରେ ପିଲାଙ୍କଠୁ ଅଧିକ ଆଶା କରିବା ବି ହୁଏତ ଭୁଲ ହେବ ।