ଛତୁଆ ସ୍କାମର ପ୍ରମାଣ ପାଇଲେ ସିଏଜି ! କହିଲେ, ଗର୍ଭବତୀ ମହିଳା ଓ ପିଲା ହେଉଛନ୍ତିି ଅପପୁଷ୍ଟିର ଶିକାର

77

କନକ ବ୍ୟୁରୋ : ନଗଡା ଭଳି ଅପପୁଷ୍ଟିର ଶିକାର ହେଉଥିବା ପିଲାଙ୍କୁ ପୁଷ୍ଟିସାର ଯୋଗାଇବା ପାଇଁ ସରକାର ମାଗଣାରେ ଅଙ୍ଗନୱାଡି ଜରିଆରେ ପୁଷ୍ଟିକର ଛତୁଆ ଯୋଗାଇଛନ୍ତି । କିନ୍ତୁ ବିଧାନସଭାରେ ଉପସ୍ଥାପିତ ସିଏଜିଙ୍କ ରିପୋର୍ଟରେ ମାଗଣାରେ ମିଳୁଥିବା ଏହି ସରକାରୀ ଛତୁଆ କିଭଳି ସ୍କାମ ଘେରରେ ରହିଛି, ତାର ପ୍ରମାଣ ମିଳିଛି । ମଝିରେ ରହୁଥିବା ଦଲାଲ ଆଉ ଠକମାନେ କିଭଳି ସରକାରଙ୍କ ଏହି ଛତୁଆକୁ ନିମ୍ନ ମାନର କରିଛନ୍ତି, ଆଉ ଆମ ପିଲା ଓ ଗର୍ଭବତୀ ମହିଳ ଅପପୁଷ୍ଟିର ଶିକାର ହେଉଛନ୍ତି, ସିଏଜି ତାର ଠୋସ ପ୍ରମାଣ ପାଇଛନ୍ତି ।

ଅଡିଟ ରିପୋର୍ଟରୁ ଜଣାପଡିଛି, ଛଅ ମାସରୁ ତିନି ବର୍ଷ ଯାଏଁ ଶିଶୁ, ଅତିଶୟ ପୁଷ୍ଟିହୀନ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୁତୀ ମହିଳାଙ୍କୁ ଯୋଗାଯାଉଥିବା ଛତୁଆରେ ଅନିୟମିତତା ହୋଇଛି ଓ ଏହା ନିମ୍ନମାନର । ଛତୁଆ ପ୍ରସ୍ତୁତ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଚୟନରେ ସ୍ୱଛତା ନଥିଲା । ନିୟମ ଅନୁସାରେ ପ୍ରତି ୬ ମାସରେ ଛତୁଆର ଗୁଣବତ୍ତା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା କଥା । ଯଦି ରିପୋର୍ଟ ପ୍ରତିକୁଳ ଆସେ ତେବେ ଛତୁଆକୁ ଜବତ କରିବା ସହ ଉକ୍ତ ସଂସ୍ଥାର କାମ ଖାରଜ କରିବା କଥା । ହେଲେ ପ୍ରତି ମାସରେ ଏହି ନିୟମକୁ ପାଳନ କରାଯାଉନଥିଲା । ସେହିଭଳି ଯାଂଚ ରିପୋର୍ଟ ମିଳିବାରେ ବିଳମ୍ବ ହେତୁ ପାଖାପାଖି ୩ କୋଟିର ଛତୁଆକୁ ନଷ୍ଟ କରାଯାଇପାରିନଥିଲା ।

ଅର୍ଥାତ୍ ଏହି ପରିମାଣର ଛତୁଆ ମହିଳା ଓ ଶିଶୁଙ୍କୁ ଦିଆଯାଇଥିଲା, ଯାହାର ମାନ ନିକୃଷ୍ଟ ଥିଲା । ୨୦୧୪ ରୁ ୨୦୧୬ ଭିତରେ ୭୯୨୯ ନମୁନାରୁ ୯୩୫ ନମୁନା ଅର୍ଥାତ୍ ୧୨ ପ୍ରତିଶତ ନିକୃଷ୍ଟ ମାନର ଥିବା ତଥ୍ୟ ମିଳିଛି । ସେହିଭଳି ଛତୁଆ ତିଆରି ସମୟରେ ସିଡିପିଓ/ସୁପରଭାଇଜର୍ ସ୍ୱୟଂ ସହାୟକ ଗୋଷ୍ଠୀ ପରିଦର୍ଶନରେ ଯାଇ ଅନୁଧ୍ୟାନ କରିବାର ଥିଲେ ବି ଏହାକୁ ପାଳନ କରାଯାଉନଥିଲା । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କିଭଳି ୭ ଲକ୍ଷ ଟଙ୍କାର ଫାଇଦା ମିଳିଛ, ତାକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି । କିଲେ ଛତୁଆରେ ୬୨୫ ଗ୍ରାମ ଗହମ, ୧୨୫ ଗ୍ରାମ ବୁଟଡାଲି, ୯୪ ଗ୍ରାମ୍ ଚିନାବାଦାମ, ୧୫୬ ଗ୍ରାମ ଚିନି ପଡିବା କଥା ।

ହେଲେ ଏହାର ଖିଲାଫ ହୋଇଥିବା କଥା ସ୍ପଷ୍ଟ ଭାବେ ଜଣାପଡୁଛି । କାରଣ କିଛି ସ୍ଥାନରେ ଛତୁଆର ମାନ ନିକୃଷ୍ଟ ଥିବା ପ୍ରମାଣିତ ହୋଇଛି । ରାଜ୍ୟରେ ଗମ୍ଭୀର ଭାବେ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ସଠିକ ଚିକିତ୍ସା ସୁବିଧା ମିଳିନଥିଲା । ଏପରିକି ମାତୃ ଓ ଶିଶୁ ମୃତ୍ୟୁ ହାର ବଢିଚାଲିଥିବା ବେଳେ ରାଜ୍ୟ ସରକାର କୈାଣସି ବାର୍ଷିକ ଯୋଜନା ମଧ୍ୟ କରିନଥିଲେ । ରାଜ୍ୟରେ ନଗଡା ଭଳି ଅଂଚଳରେ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁବରଣ କରୁଥିବା ବେଳେ ସିଏଜିଙ୍କ ଏହି ରିପୋର୍ଟ, ହୋଇଥିବା ବ୍ୟାପକ ଅନିୟମିତତାକୁ ସାମ୍ନାକୁ ଆଣିଛି ।