ଗୋଟିଏ ପଟେ ଡ୍ରାଗନ ସେନା, ଆରପଟେ ଛକି ବସିଛି ପାକିସ୍ତାନ ! ହେଲେ ଯୁଦ୍ଧ ପାଇଁ ଭାରତ ପାଖରେ ନାହିଁ ଗୋଳାବାରୁଦ, ସିଏଜିର ଚାଂଚଲ୍ୟକର ରିପୋର୍ଟ

52

କନକ ବ୍ୟୁରୋ : ଗୋଟିଏ ପଟେ ଯୁଦ୍ଧ ପାଇଁ ଚୀନର ବାରମ୍ବାର ଧମକ । ଅନ୍ୟପଟେ ସାମନାକୁ ଆସିଲା ସିଏଜିଙ୍କ ଚିନ୍ତାଜନକ ରିପୋର୍ଟ । ଭାରତୀୟ ସେନା ପାଖରେ ଗୁଳି ଗୋଳାର ଅଭାବ, ସଂସଦରେ ଏପରି ଉଦବେଗଜନକ ରିପୋର୍ଟ ଉପସ୍ଥାପନା କରିଛନ୍ତି ସିଏଜି । ଅସ୍ତ୍ରଶସ୍ତ୍ର ବା ଗୋଳା ବାରୁଦର ପରିମାଣ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସିଏଜି । ବଡ ଆଶ୍ଚର୍ଯ୍ୟକର କଥା ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଗୋଳା ବାରୁଦ ନାହିଁ ଭାରତ ପାଖରେ । ସେନା ପାଖରେ ଖୁବ୍ କମ୍ ପରିମାଣର ଗୋଳା ବାରୁଦ ଥିବା ତଥ୍ୟ ପ୍ରକାଶ ପାଇବା ପରେ ଏ ନେଇ ଆଶଙ୍କା ବଢିଯାଇଛି । ଯେତେବେଳେ ସୀମାରେ ଦୁଇ ପଡୋଶୀଙ୍କ ସହ ଛକାପଂଝା ଚରମ ସୀମାରେ ପହଁଚିଛି, ସେତେବେଳେ ସିଏଜିଙ୍କ ଏପରି ରିପୋର୍ଟ ଚିନ୍ତା ବଢାଇ ଦେଇଛି ।

ପୂର୍ଣ୍ଣାଙ୍ଗ ଲଢେଇ ହେଲେ ଦେଶ ପାଖରେ ସର୍ବନିମ୍ନ ୪୦ ଦିନ ପର୍ଯ୍ୟନ୍ତ ଲଢିବାକୁ ଅସ୍ତ୍ରଶସ୍ତ୍ର ବା ଗୋଳା ବାରୁଦ ମହଜୁଦ ରହିବା ଆବଶ୍ୟକ । ହେଲେ ସିଏଜି କହିଛି ଯଦି ଲଗାତର ୧୦ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବାକୁ ପଡେ ତେବେ ଭାରତୀୟ ସେନା ପାଖରେ ଥିବା ଆମୁନେସନ୍ ଶେଷ ହୋଇଯିବ । ଯାହାକୁ ଖଣ୍ଡନ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

ସିଏଜି ଦର୍ଶାଇଛନ୍ତି ୪୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ଅତି ସଂକଟଜନକ ସ୍ଥିତିରେ ରହିଛି । ଯେତିକି ଷ୍ଟକ ରହିଛି, ଯୁଦ୍ଧ ହେଲେ ମାତ୍ର ୧୦ ଦିନରେ ନିଅଂଟ ପଡିବ । ସେହିପରି ୫୫ ପ୍ରତିଶତ ପ୍ରକାର ଅସ୍ତ୍ରଶସ୍ତ୍ର ସର୍ବନିମ୍ନ ଗ୍ରହଣୀୟ ରିସ୍କ ସ୍ତରରୁ ବି କମ୍ ରହିଛି ।