୪ ସେପ୍ଟେମ୍ବର ପୂର୍ବରୁ ବଦଳିବ ମୋଦି କ୍ୟାବିନେଟର ଚେହେରା ! ନିର୍ବାଚନକୁ ଆଖି ଆଗରେ ରଖି ହୋଇପାରେ ପୁନର୍ବିନ୍ୟାସ

47

କନକ ବ୍ୟୁରୋ : ମଉକା ଦେଖି ଚଉକା ମାରିଛନ୍ତି ମୋଦି । ରାଜନୀତିର ପଶାପାଲିରେ କେତେବେଳେ କେଉଁ ସମୟରେ କେଉଁ ଗୋଟି ଚାଳନା କରିବାକୁ ପଡେ ତାହା ମୋଦିଙ୍କଠାରୁ ଭଲ କେହି ଜାଣିନଥିବେ । ଆଉ ଏହାର ଏକ ଉଦାହରଣ ଏବେ ଆସିଛି ସାମ୍ନାକୁ । ସମୟ ପୂର୍ବରୁ ମୋଦି କ୍ୟାବିନେଟରେ ହୋଇପାରେ ଅଦଳ ବଦଳ । ୨୦୧୯ ନିର୍ବାଚନ ଏବଂ ସୁରେଶ ପ୍ରଭୁଙ୍କ ଇସ୍ତଫାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ୪ ସେପ୍ଟେମ୍ବର ପୂର୍ବରୁ ମନ୍ତ୍ରୀମଣ୍ଡଳରେ କରିପାରନ୍ତି ବଡ ଧରଣର ଅଦଳ ବଦଳ । ଆଉ ଏହି ଅଦଳ ବଦଳ ସୁରେଶ ପ୍ରଭୁଙ୍କ କରିପାରେ ଛୁଟି । ଅର୍ଥାତ୍ ସରକାର ରେଳମନ୍ତ୍ରୀଙ୍କ ଇସ୍ତଫାକୁ ଟ୍ରେନ୍ ଦୁର୍ଘଟଣା ସହ ଯୋଡିବାକୁ ଚାହୁଁନାହାନ୍ତି । ବରଂ ଏପରି କରି ଜଣାଇବାକୁ ଚାହୁଁଛନ୍ତି ବିଭାଗ ପରିବର୍ତ୍ତନ ଯୋଗୁଁ ସୁରେଶ ପ୍ରଭୁଙ୍କୁ ହଟାଗଲା ।

ବର୍ତ୍ତମାନ ମୋଦି ସରକାରଙ୍କ ପାଖରେ ଏମିତି କିଛି ମନ୍ତ୍ରୀ ଅଛନ୍ତି ଯାହାଙ୍କ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ରହିଛି । ଯେମିତି କି ଅରୁଣ ଜେଟଲୀ । ମନୋହର ପାରିକର ଗୋଆର ମୁଖ୍ୟମନ୍ତ୍ରୀ ହେବା ପରେ ଅରୁଣ ଜେଟଲୀଙ୍କ ହାତରେ ଅର୍ଥ ବିଭାଗ ଏବଂ ରକ୍ଷା ମନ୍ତ୍ରାଳୟ ଭଳି ଦୁଇଟି ବଡ ବିଭାଗ ରହିଛି । ହେଲେ ବର୍ତ୍ତମାନ ପରିସ୍ଥିତିରେ ଯେଉଁଭଳି ଭାବରେ ଚୀନ୍ ଚିନ୍ତା ବଢାଇଛି ତାକୁ ସେଥିପାଇଁ ଜଣେ ଫୁଲ୍ ଟାଇମ୍ ରକ୍ଷା ମନ୍ତ୍ରୀ ଆବଶ୍ୟକ କରୁଛି ଦେଶ ।

ଅନ୍ୟପଟେ ଭେଙ୍କେୟା ନାଇଡୁ ଉପରାଷ୍ଟ୍ରପତି ହୋଇଯିବା ପରେ ସୂଚନା ଏବଂ ପ୍ରସାରଣ ବିଭାଗ ସହ ସହର ବିକାଶ ମନ୍ତ୍ରାଳୟ ଖାଲି ପଡିଥିଲା । ତେବେ ସହାରୀ ବିକାଶ ମନ୍ତ୍ରାଳୟ ନରେନ୍ଦ୍ର ସିଂହ ତୋମରଙ୍କୁ ମିଳିବା ପରେ ଏବେ ତାଙ୍କ ହାତରେ ରହିଛି ୫ଟି ବିଭାଗ । ସେହିପରି ସ୍ମୃତି ଇରାନୀଙ୍କ ହାତରେ ରହିଛି ଦୁଇଟି ବିଭାଗର ଭାର ।

ହେଲେ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ରକ୍ଷା ମନ୍ତ୍ରାଳୟ ଏବଂ ରେଳ ମନ୍ତ୍ରାଳୟ । ଆଉ ଅଦଳ ବଦଳରେ ସମୟରେ ଏହି ଦୁଇ ବିଭାଗରେ ରହିବ ସମସ୍ତଙ୍କ ନଜର । ସୁରେଶ ପ୍ରଭୁଙ୍କ ପରେ କିଏ ହେବ ଦେଶର ଆଗାମୀ ରେଳମନ୍ତ୍ରୀ ତାହା ଉପରେ ତ ସମସ୍ତଙ୍କ ନଜର ରହିବ ହିଁ । ହେଲେ ଚୀନର ବିବାଦ ପରେ ପୁରା ଦେଶର ନଜରକୁ ଆସି ଯାଇଛି ରକ୍ଷା ବିଭାଗ । ଏବେ ଦେଖିବାକୁ ବାକି ରହିଛି ଅରୁଣ ଜେଟଲୀଙ୍କ ଠାରୁ କେଉଁ ବିଭାଗ ଫେରାଇନେବେ ମୋଦି ।

ତେବେ ଆଗାମୀ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଏହି ଅଦଳ ବଦଳ କରାଯାଉଥିବାର ସୂଚନା ମିଳିଛି । ରକ୍ଷା ମନ୍ତ୍ରାଳୟ ସହ ଚାରିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଭାଗ୍ୟ ନିର୍ଦ୍ଧାରଣ କରିବ ଏହି ଅଦଳ ବଦଳ । ଏହା ସହ କାମ କରୁଥିବା ମନ୍ତ୍ରୀ ମାନଙ୍କର ମଧ୍ୟ ହୋଇପାରେ ଛୁଟି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ଓଡିଶା, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ ହେବ ନିର୍ବାଚନ । ତେଣୁ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ମୋଦିଙ୍କ କ୍ୟାବିନେଟରେ କିଛି ଦକ୍ଷିଣ ଚେହେରା ମଧ୍ୟ ନଜର ଆସି ପାରନ୍ତି । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଏହା ଅନ୍ତିମ ପରିବର୍ତ୍ତନ ବୋଲି ପ୍ରମାଣିତ ହୋଇପାରେ ।