କିଏ ହେବେ ମୋଦିଙ୍କ ମନ୍ତ୍ରୀ ! କାଲି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡଧରଣର ପରିବର୍ତ୍ତନ, ଗୁଡବୁକରେ ଧର୍ମେନ୍ଦ୍ର ପ୍ରଧାନ

46

କନକ ବ୍ୟୁରୋ : ଆସନ୍ତାକାଲି ବଦଳିଯିବ ମୋଦି କ୍ୟାବିନେଟର ସ୍ୱରୂପ । ମୋଦି କ୍ଷମତାକୁ ଆସିବା ପରେ ତୃତୀୟ ଥର ପାଇଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ହେଉଥିବା ବେଳେ କୁହାଯାଉଛି, ୨୦୧୯ ନିର୍ବାଚନ ପୂର୍ବରୁ ଏହା ଶେଷ ପ୍ରୟାସ । ଆଉ ଏଥିପାଇଁ ପ୍ରସ୍ତୁତ ରହିଛି ରାଷ୍ଟ୍ରପତି ଭବନ । ବିଜେପିର ଦୁଇ କିଙ୍ଗ ମେକର ଅମିତ ଶାହା ଏବଂ ନରେନ୍ଦ୍ର ମୋଦି ଚୁଡାନ୍ତ କରିଛନ୍ତି, ନୂଆ କ୍ୟାବିନେଟର ସ୍ୱରୁପ । ଆସନ୍ତାକାଲି ୧୦ଟା ବେଳେ ହେବ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । ଆଉ ଏସବୁ ଭିତରେ କିଏ, କେଉଁ ମନ୍ତ୍ରୀ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା । ମୋଦିଙ୍କ ଗୁଡବୁକରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଆଉ କୁହାଯାଉଛି ଏହି ନୂଆ ମନ୍ତ୍ରିମଣ୍ଡଳରେ ପ୍ରାୟ ଡଜନେ ନୂଆମନ୍ତ୍ରୀ ସାମିଲ ହେଉଛନ୍ତି ।

ଚର୍ଚ୍ଚା ହେଉଛି ମୋଦିଙ୍କ ନୂଆ ଟିମରେ ସାମିଲ ହେବାକୁ ଯାଉଛନ୍ତି ପ୍ରାୟ ଗୋଟିଏ ଡଜନ୍ ନୂଆ ଚେହେରା ।୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରୀମଣ୍ଡଳର ସ୍ୱରପ ନିର୍ଦ୍ଧାରଣ କରିଛନ୍ତି ମୋଦି-ଶାହା ଯୋଡ଼ି । ଆଉ ଏହି ତାଲିକାରେ ରାଜସ୍ତାନର ଯୁବ ନେତା ସିପି ଯୋଶୀ, କର୍ଣ୍ଣାଟକର ଲିଙ୍ଗାୟତ ସଂପ୍ରଦାୟର ନେତା ସୁରେଶ ଅଙ୍ଗାଡି, ଦିଲ୍ଲୀର ପ୍ରବେଶ ବର୍ମାଙ୍କ ଭଳି ଚେହେରା, ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ଏନଡିଏ ସହଯୋଗୀ ଦଳକୁ କେମିତି ସନ୍ତୁଷ୍ଟ କରିବେ ମୋଦି, ତାକୁ ନେଇ ଦେଖା ଦେଇଛି ବଡ ପ୍ରଶ୍ନବାଚୀ । କ’ଣ ରହିବ ସହଯୋଗୀ ଦଳର ଭୂମିକା । କୁହାଯାଉଛି-ବିଜେପିର ଅଫରରେ ଖୁସ୍ ନାହାଁନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର । ଏମିତିକି ଅମିତ ଶାହା ଏହି ପ୍ରସଙ୍ଗରେ କୌଣସି ଆଲୋଚନା କରିନଥିବା ଖୋଲାଖୋଲି ଦଳୀୟ ନେତା କହିବୁଲୁଛନ୍ତି । ଅନ୍ୟପଟେ ଏଆଇଡିଏମକେ ଦଳୀୟ କନ୍ଦଳ ଭିତରେ ଛନ୍ଦି ହୋଇଥିବାରୁ ଏଯାଏଁ ନିଷ୍ପତି ନେଇପାରିନି, ମୋଦିଙ୍କ ହାତଧରିବ କି ନାହିଁ । ଶିବସେନା କିନ୍ତୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ କୌଣସି ଦାବି ରଖିନି ।

ଚର୍ଚ୍ଚାରେ ଗୁଡବୁକରେ ଥିବା ୩ ମନ୍ତ୍ରୀ ! ପ୍ରୋଫାଇଲରେ ପ୍ରମୋସନ ନେଇ ଚର୍ଚ୍ଚା :
ମୋଦି ମନ୍ତ୍ରୀମଣ୍ଡଳର ଗୁଟ୍ବୁକ ତାଲିକାରେ ଅଛନ୍ତି ୩ଜଣମନ୍ତ୍ରୀ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନବ ସମ୍ବଳ ବିକାଶମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ଶକ୍ତିମନ୍ତ୍ରୀ ପିୟୁଷ ଗୋୟଲ । ପ୍ରଦର୍ଶନ ଭିତିରେ ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପିୟୁଷ ଗୋୟଲ ଏବଂ ପ୍ରକାଶ ଜାଭଡେକରଙ୍କୁ ମଧ୍ୟ ମିଳିପାରେ ପ୍ରମୋସନ ।

କ’ଣ ହେବ ମନ୍ତ୍ରୀମଣ୍ଡଳର ସ୍ୱରୁପ ! ଛୋଟ କ୍ୟାବିନେଟ ବାଛିବେ କି ମୋଦି :
ମିନିମମ୍ ଗଭମେଂଟ୍, ମେକ୍ସିମମ୍ ଗଭର୍ଣ୍ଣାସର ନାରା ଦେଉଥିବା ମୋଦି, ଏଥର କ’ଣ କରିବେ? ବର୍ତମାନ ମନ୍ତ୍ରୀମଣ୍ଡଳର ସଂଖ୍ୟା ୭୩ ଥିବା ବେଳେ ଏହାକୁ ସର୍ବାଧିକ ୮୧ ଯାଏଁ ବଢ଼ାଯାଇପାରିବ । ପୂର୍ବରୁ ଦୁଇ ଦୁଇ ଥର ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଏହି ସଂଖ୍ୟାକୁ ସୀମିତ ରଖିଥିଲେ ମୋଦି ସରକାର । ତେଣୁ ସମସ୍ତଙ୍କ ନଜର ଏଥର କଣ କରିବେ ।

୨୦୧୪ରେ ମୋଦି କ୍ଷମତାକୁ ଆସିବା ପରେ ଏହା ହେଉଛି ତୃତୀୟ ମନ୍ତ୍ରୀମଣ୍ଡଳ ଅଦଳବଦଳ । ଆଉ ୨୦୧୯ ନିର୍ବାଚନ ପୂର୍ବରୁ ହୁଏତ ମନ୍ତ୍ରୀମଣ୍ଡଳ ଅଦଳବଦଳର ଏହା ଶେଷ ପ୍ରୟାସ । ତେଣୁ ଏବେ ସମସ୍ତଙ୍କ ନଜର କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳୁଛି । ଆଉ ମାତ୍ର ଗୋଟିଏ ଦିନ ପରେ ସ୍ପଷ୍ଟ ହୋଇଯିବ ଚିତ୍ର ।