ତଲାକ ହେବ ବେଆଇନ୍ ! ମୁସଲିମ ମହିଳା ବିବାହ ସୁରକ୍ଷା ବିଲକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

24

କନକ ବ୍ୟୁରୋ : ସଂସଦର ଶୀତ ଅଧିବେଶନରେ ଆସିବ ଟ୍ରିପଲ୍ ତଲାକ୍ ରୋକିବାକୁ ବିଲ୍ । ଏହି ବିଲ୍ ଆଗତ ହେବା ପାଇଁ ରାସ୍ତା ପରିଷ୍କାର ହୋଇଛି । ମୁସଲିମ୍ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍ ୨୦୧୭କୁ ଆଜି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ବିଲ୍ ପାରିତ ହେଲେ ତିନି ତଲାକକୁ ଧର୍ତବ୍ୟ ଓ ଜାମିନବିହୀନ ଅପରାଧ ଭାବେ ଗ୍ରହଣ କରାଯିବ । ଏହି ଅପରାଧ ଲାଗି ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଏହି ମାସର ପ୍ରଥମ ସପ୍ତାହରେ ବିଲ୍ ଡ୍ରାଫ୍ଟକୁ ରାଜ୍ୟଗୁଡିକୁ ପଠାଇଥିଲେ କେନ୍ଦ୍ର ସରକାର ।

ଡିସେମ୍ବର ୧୦ ତାରିଖ ସୁଦ୍ଧା ଉତ୍ତର ରଖିବାକୁ କୁହାଯାଇଥିଲା । ତିନି ତଲାକକୁ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ଏହି ବିଲ୍ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ । ଏହି ବିଲ୍ ଆଇନରେ ପରିଣତ ହେଲେ ମୌଖିକ, ଲିଖିତ, ଟେଲିଫୋନ୍ କିମ୍ବା ସୋସିଆଲ ମିଡିଆରେ ତଲାକ୍ ଦେବା ବେଆଇନ୍ ହେବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।