ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା ଜାରି : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦି, ରାଜନାଥ ସିଂ ଓ ନିର୍ମଳା ସୀତାରମଣ ପିଓକେ ଆକ୍ରମଣ ବାବଦରେ କରୁଛନ୍ତି ଆଲୋଚନା

204

କନକ ବ୍ୟୁରୋ : ପିଓକେରେ ଭାରତୀୟ ସେନାର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଭାରତୀୟ ସୁରକ୍ଷା ପରାମର୍ଶଦାତା । ପିଏମଓରେ ଅଜିତ୍ ଡୋଭାଲ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପିଓକେରେ ଆକ୍ରମଣ ନେଇ ଅବଗତ କରାଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପିଓକେ ଆକ୍ରମଣ ବାବଦରେ ଆଲୋଚନା କରୁଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି ।

ଭାରତୀୟ ସେନା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଆକ୍ରମଣରେ ଜେଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ୩ଟି କଂଟ୍ରୋଲ ରୁମ୍ ଧ୍ୱଂସ ହୋଇଛି । ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡକୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା । ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡରେ ହମଲା କରିଥିଲେ ଭାରତୀୟ ସେନା । ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷା କରିଛି ବାୟୁସେନା ବିମାନ ମିରାଜ-୨୦୦୦ । ମିଳିଥିବା ସୂଚନା ଅନୁସାରେ, ଏହି ୩ଟି ଲଂଚ ପ୍ୟାଡ ଆତଙ୍କବାଦୀଙ୍କ ଟ୍ରେନିଂ କ୍ୟାମ୍ପ ଥିଲା । ଏଠାରେ ଜେଶ ଏ ମହମ୍ମଦ, ଲସ୍କରତୈବା ଓ ମୁଜାହୁଦିନ୍ ଆତଙ୍କବାଦୀ ଥିବା ନେଇ ସୂଚନା ମିଳିଛି ।