ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଜାତି ଭିତିରେ ହେଉ ଜନଗଣନା, କେନ୍ଦ୍ର ସରକାରଙ୍କୁ ଦିଆଗଲା ବଡ଼ ପ୍ରସ୍ତାବ

180

କନକ ବ୍ୟୁରୋ : ୨୦୨୧ରେ ଯେଉଁ ଜନଗଣନା ହେବାକୁ ଯାଉଛି ସେଥିରେ ବିଭିନ୍ନ ଜାତିର ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଜରୁରୀ । ଏଥିସହିତ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିକୋଣରୁ ଯେଉଁମାନେ ପଛୁଆ ସେମାନଙ୍କ ବାବଦରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉ । ଓଡିଶା ସରକାର ଏହି ମର୍ମରେ ସଂକଳ୍ପ ପାରିତ କରାଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଜାତି ଗଣନା ଜରୁରୀ କାହିଁକି? ଏହି ପ୍ରଶ୍ନ ଉପରେ ରାଜ୍ୟ କ୍ୟାବିନେଟ କହିଛି, ସାମାଜିକ ଓ ଅର୍ଥନୈତିକ ସ୍ତରରେ ପଛରେ ଥିବା ତଥା ପଛୁଆ ଜାତି ଏବଂ ସେମାନେ ରହୁଥିବା ଅଂଚଳର ଭୈାଗଳିକ ସ୍ଥିତି ବାବଦରେ ସଠିକ ଓ ନିର୍ଭୁଲ ତଥ୍ୟ ନଥିବାରୁ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଯୋଜନା କରିବାରେ ବେଶ ଅସୁବିଧା ହେଉଛି । ୨୦୨୧ରେ ହେବାକୁ ଥିବା ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ପଛରେ ଥିବା ଲୋକଙ୍କ ତଥ୍ୟ ଓ ଜାତିଭିତିକ ଗଣନା ପାଇଁ କୈାଣସି ବ୍ୟବସ୍ଥା ହୋଇନାହିଁ ।

୨୦୧୧ ମସିହାରେ ବିଭିନ୍ନ ଜାତି ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲେ ମଧ୍ୟ ଏହି ତଥ୍ୟକୁ ସରକାର ପ୍ରକାଶ କରିନାହାନ୍ତି । କାରଣ, ଏହାକୁ ନେଇ ବିଭିନ୍ନ ଦାବି ଉଠିବା ପରିପ୍ରେକ୍ଷୀରେ ଏକ ବଡ ଧରଣର ଆନ୍ଦୋଳନର ଆଶଙ୍କା କରାଯାଉଥିଲା । ଜାତିଗଣନା ଏକ ବିବାଦୀୟ ପ୍ରସଙ୍ଗ ହୋଇ ୨୦୧୧ରୁ ଆଜି ପର୍ଯ୍ୟନ୍ତ ରହିଆସିଛି । ରାଜ୍ୟ କ୍ୟାବିନେଟରେ ପାରିତ ହୋଇଥିବା ସଂକଳ୍ପରେ ସ୍ପଷ୍ଟ ଭାବେ କୁହାଯାଇଛି, ଦେଶରେ ହେବାକୁ ଥିବା ଜନଗଣନାରେ ଜତିଭିତିକ ଗଣନା କରାଯାଉ । ଜନଗଣନା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଫର୍ମାଟରେ ଏହାକୁ ସାମିଲ କରି ଅବା ଭିନ୍ନ ଏକ ଫର୍ମାଟ ଜାରି କରି ଏହି ତଥ୍ୟ ହାସଲ କରିବାକୁ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଛି । ଏଥିସହ ଖୁବଶୀଘ୍ର ଏହି ସମସ୍ତ ତଥ୍ୟକୁ ସର୍ବସାଧାରଣକୁ ଆଣିବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତି ହୋଇଛି ।

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତି କାହିଁକି ଗୁରୁତ୍ୱପୂର୍ଣ୍ଣ । ୨୦୧୧ ଜନ ଗଣନାରେ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ପଛରେ ଥିବା ଏବଂ ଏସ୍ସି/ଏସ୍ଟି, ଓବିସି ତଥା ଉଚ୍ଚବର୍ଗର ଲୋକଙ୍କ ବାବଦରେ ଥିବା ତଥ୍ୟକୁ ପ୍ରକାଶ କରାଯାଇନଥିଲା । ତତ୍କାଳୀନ ୟୁପିଏ ସରକାର ଦେଶରେ ସବୁ ପରିବାର ବାବଦରେ ତଥ୍ୟ ସଂଗ୍ରହ କରିବା ସହ ସାମାଜିକ ଓ ଅର୍ଥନୈତିକ ସ୍ଥିତି ବାବଦରେ ତଥ୍ୟ ସଂଗ୍ରହ କରିଥିଲେ । ହେଲେ ଏହାପରେ ଆସିଥିବା ନରେନ୍ଦ୍ର ମୋଦି ସରକାର ଏହି ତଥ୍ୟକୁ ପ୍ରକାଶ କରିନଥିଲେ । ଏହି ତଥ୍ୟକୁ ଲୁଚାଇ ରଖିବା ପଛର କାରଣ କଣ ବୋଲି ସେତେବେଳେ ରାଜନୈତିକ ତୁମ୍ବିତୋଫାନ ମଧ୍ୟ ହୋଇଥିଲା । ଆଉ ଏହାରି ଭିତରେ ରାଜ୍ୟ ସରକାର ସେହି କଥାକୁ ପୁଣି ଉଖାରି ବଡ ରାଜନୈତିକ ବିବାଦର ସୁତ୍ରପାତ କରାଇଛନ୍ତି । ସେପଟେ ୩ ଦିନ ତଳେ ମହାରାଷ୍ଟ୍ର ବିଧାନସଭାରେ ମଧ୍ୟ ଜାତିଭିତିକ ଜନଗଣନା ପାଇଁ ସଂକଳ୍ପ ପାରିତ ହୋଇଛି ।