ବକ୍ସି ଜଗବନ୍ଧୁଙ୍କୁ ନେଇ ରାଜନୀତି ଜୋର୍ ! ବିଜେଡି ଖେଳିଲା ମାଷ୍ଟରଷ୍ଟ୍ରୋକ୍,କହିଲା, ଆଉ ଥରେ ଲେଖ ଇତିହାସ

46

କନକ ବ୍ୟୁରୋ : ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତୀ ପାଇଁ ଦିଲ୍ଲୀରେ ବ୍ୟାପକ ଆୟୋଜନ ହେଉଥିବା ବେଳେ ଆଜି ଭୁବନେଶ୍ୱରରୁ ମାଷ୍ଟର ଷ୍ଟୋକ୍ ଖେଳିଛନ୍ତି ରାଜ୍ୟ ସରକାର । ବିଜେପିକୁ ମାତ୍ ଦେବା ପାଇଁ ଇତିହାସ ବଦଳାଇବା ପାଇଁ ଉଠିଛି ଦାବି । ୧୮୧୭ର ପାଇବ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା କରିବାକୁ ଦାବି କରିଛି ରାଜ୍ୟ କ୍ୟାବିନେଟ୍ । ଫଳରେ ବକ୍ସି ଜଗବନ୍ଧୁଙ୍କୁ ନେଇ ଚାଲିଥିବା ରାଜନୈତିକ ପ୍ରସଙ୍ଗକୁ ଛଡାଇ ନେବା ପାଇଁ ଉଦ୍ୟମ କରିଛି ବିଜେଡି ।

ଓଡ଼ିଶା ମାଟିରୁ ପଡ଼ିଥିଲା ଦେଶର ପ୍ରଥମ ମୁକ୍ତି ଆନ୍ଦୋଳନର ମୂଳଦୁଆ । ୧୮୫୭ର ବହୁ ପୂର୍ବରୁ ପାଇକମାନେ ଛିଡ଼ା ହୋଇଥିଲେ ଇଂରେଜ ଶାସନର ବିରୁଦ୍ଧରେ । ଆଉ ପାଇକ ବିଦ୍ରୋହ ହିଁ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ଓଡ଼ିଶାର ଏହି ଗୌରବମୟ ଇତିହାସକୁ ସ୍ୱୀକାର କରିବା ସହ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଆଜି ବିଧିବଦ୍ଧ ଭାବରେ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିବେ । ରାଜ୍ୟ କ୍ୟାବିନେଟ୍ ବୈଠକରେ ହୋଇଛି ଏଭଳି ଏକ ନିଷ୍ପତ୍ତି ।

ଗଂଜାମର ଘୁମୁସରର କନ୍ଧମେଳିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ବାଣପୁର, ଖୋର୍ଦ୍ଦା, ପିପିଲି, ପୁରୀ, କୁଜଙ୍ଗ ପଟ୍ଟାମୁଣ୍ଡ ପର୍ଯ୍ୟନ୍ତ ବ୍ୟାପିଯାଇଥିଲା । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଏକାଠି ହୋଇଥିଲେ ଏକାଧିକ ଗଡ଼ଜାତ ଅଂଚଳ । ଯେଉଁ ବିପ୍ଲବରେ ସାମିଲ ହୋଇଥିଲେ ଜୟୀରାଜ ଗୁରୁ ଏବଂ ଦଳ ବେହେରାଙ୍କ ଭଳି ଯୋଦ୍ଧା । ଇଷ୍ଟ ଇଣ୍ଡିଆ ବିରୋଧରେ ହୋଇଥିବା ଏହି ବିପ୍ଲବ ଗୋରା ଶାସନ ବିରୁଦ୍ଧରେ ହୋଇଥିବା ସିପାହୀ ବିଦ୍ରୋହ ପାଇଁ ବାଟ କଢ଼ାଇଥିଲା ।

ଗୋରା ଶାସକଙ୍କୁ ନାକେଦମ କରିଦେଇଥିଲେ ଓଡ଼ିଶାର ପାଇକ ଯୋଦ୍ଧା । ଆଉ ଏହି ବିପ୍ଲବକୁ ଶାନ୍ତ କରିବାକୁ ଇଂରେଜମାନଙ୍କ କରିବାକୁ ପଡ଼ିଥିଲା ବହୁ କସରତ । ୧୮୫୭ ମସିହାରେ ଆରମ୍ଭ ହୋଇଥିଲା ସିପାହୀ ବିଦ୍ରୋହ । ଯେଉଁ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି ଗ୍ରହଣ କରାଯାଉଛି । କିନ୍ତୁ ଏହି ଆନ୍ଦୋଳନ ୪୦ ବର୍ଷ ପୂର୍ବରୁ ଓଡ଼ିଆମାନେ ଲଢ଼ିଥିଲେ ଇଂରେଜ ଶାସନ ବିରୁଦ୍ଧରେ । ଯାହାକୁ ସ୍ୱୀକୃତି ଦେବା ପାଇଁ ଆଜି ଓଡ଼ିଶା ସରକାର କେନ୍ଦ୍ରକୁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ।