କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଏଣିକି ପଂଚମ ଓ ଅଷ୍ଟମ ଶ୍ରେଣୀରେ ବାଧ୍ୟତାମୂଳକ ହେବ ପାସମାର୍କ

32

କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପଂଚମ ଓ ଅଷ୍ଟମ ଶ୍ରେଣୀରେ ବାଧ୍ୟତାମୂଳକ ହେବ ପାସ୍ ମାର୍କ । ଅର୍ଥାତ ଫେଲ୍ ମାର୍କ ରଖିଲେ ଆଉ ଶ୍ରେଣୀ ଡେଇଁ ପାରିବେନି ଛାତ୍ରଛାତ୍ରୀ । ପ୍ରଚଳିତ ବ୍ୟବସ୍ଥା ଅନୁସାରେ ୬ରୁ ୧୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଶିକ୍ଷା ବାଧ୍ୟତାମୂଳକ କରାଯାଇଥିବାରୁ ନୋ-ଡିଟେନସନ ପଲିସି ରହିଛି । ଅର୍ଥାତ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ପାସ୍ ମାର୍କ ନରଖିଲେ ମଧ୍ୟ ପରବର୍ତୀ ଶ୍ରେଣୀକୁ ଉନ୍ନିତ କରାଯାଉଛି । ଏଭଳି ବ୍ୟବସ୍ଥା ଦ୍ୱାରା ଶିକ୍ଷାର ମାନ କମୁଥିବା ଅଭିଯୋଗ ହୋଇଆସୁଥିଲା । ତେଣୁ ନୋ-ଡିଟେନସନ ପଲିସିରେ ପରିବର୍ତନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି ।

ପଂଚମ ଓ ଅଷ୍ଟମ ଶ୍ରେଣୀରେ ଛାତ୍ରଛାତ୍ରୀ ଫେଲ୍ ହେଲେ ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ । ମାଟ୍ରିକରେ ସପ୍ଲିମେଂଟାରୀ ପରୀକ୍ଷା ପରି କିଛି ମାସ ବ୍ୟବଧାନରେ ଦ୍ୱିତୀୟ ଥର ପରୀକ୍ଷାରେ ବସିବେ ଫେଲ ଛାତ୍ରଛାତ୍ରୀ  । ଏବଂ ଏଥିରେ ବି ଫେଲ୍ ହେଲେ ଆଉ ଶ୍ରେଣୀ ଡେଇଁ ପାରିବେନାହିଁ । ରାଜ୍ୟ ଗୁଡିକ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ । ଏହାପୂର୍ବରୁ ଶିକ୍ଷା ଅଧିକାର ଆଇନରେ ସଂଶୋଧନ ଆଣିବେ କେନ୍ଦ୍ର ସରକାର । ସଂଶୋଧନ ପ୍ରସ୍ତାବ ପାରିତ ହେଲେ ନୂଆ ନିୟମ ଆସନ୍ତା ବର୍ଷରୁ ଲାଗୁ ହୋଇପାରେ  ।