କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ଦେଶରେ ପ୍ରତିଷ୍ଠା ହେବ ୭୫ଟି ନୂଆ ମେଡିକାଲ କଲେଜ, ଏକକ ବ୍ରାଣ୍ଡ ଖୁଚୁରା ବ୍ୟବସାୟ ଓ ଡିଜିଟାଲ ମିଡିଆରେ ବଢ଼ିଲା ଏଫଡିଆଇ ଆକାର

126

କନକ ବ୍ୟୁରୋ : ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ନୀତିରେ କୋହଳ କରିଛନ୍ତି କେନ୍ଦ୍ର ସରକାର । ଏକକ ବ୍ରାଣ୍ଡ ଖୁଚୁରା ବ୍ୟବସାୟ, ଡିଜିଟାଲ ମିଡିଆ ଓ ଉତ୍ପାଦନ ଶିଳ୍ପରେ ବିଦେଶୀ ପ୍ରତ୍ୟକ୍ଷ ପୁଂଜିନିବେଶ ପରିସରକୁ ବୃଦ୍ଧି ପରିବା ପାଇଁ ମଂଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଠିକା ଉତ୍ପାଦନ କ୍ଷେତ୍ର ଓ କୋଲ ମାଇନିଂରେ ୧୦୦ ପ୍ରତିଶତ ଏଫଡିଆଇ ପାଇଁ ଅନୁମତି ଦେଇଛି କ୍ୟାବିନେଟ୍ । ଏଣିକି କୌଣସି ଷ୍ଟୋର ସ୍ଥାପନ କରିନଥିଲେ ମଧ୍ୟ କଂପାନୀଗୁଡିକ ଅନଲାଇନରେ ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି ସରକାର ।

ଡିଜିଟାଲ ମିଡିଆରେ ୨୬ ପ୍ରତିଶତ ଏଫଡିଆଇକୁ ମଂଜୁରି ମିଳିଛି । ସେହିପରି ୨୦୨୧-୨୨ ସୁଦ୍ଧା ୭୫ଟି ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ରେଫେରାଲ୍ ହସପିଟାଲ ସହ ଯୋଡା ଯାଇ ଏହି ମେଡିକାଲ କଲେଜ ସ୍ଥାପନ ହେବ । ଦେଶରେ ଅତିରିକ୍ତ ୧୫,୭୦୦ ଏମବିବିଏସ୍ ସିଟରେ ଛାତ୍ରଛାତ୍ରୀମାନେ ଡାକ୍ତରୀ ଶିକ୍ଷା ପାଇବେ । ଯେଉଁ ଜିଲ୍ଲା ହସପିଟାଲରେ ଅତି କମରେ ୨୦୦ ବେଡ୍ ଥିବ, ସେହିସବୁ ହସପିଟାଲଗୁଡିକରେ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରାଥମିକତା ଦିଆଯିବ । ଏଥିପାଇଁ ୨୪ ହଜାର ୩୭୫ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି ।