ବିଏସଏନଏଲକୁ ବଳ: ଗାଁ ଗହଳି ସହ ପୁଣି ଯୋଡି ହେବ ବିଏସଏନଏଲ । ଅନ୍ୟ କମ୍ପାନୀଙ୍କୁ ଦେବ କଡା ଟକ୍କର

1,317

କନକ ବ୍ୟୁରୋ: ପୁଣି ସକ୍ରିୟ ହେବ ବିଏସଏନଏଲ । ଟେଲିକମ ସେବା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ କରି ବଜାରକୁ ଆସିବ ବିଏସଏନଏଲ । ନିଜ ସେବା ପାଇଁ ଲୋକଙ୍କ ବିଶ୍ୱାସ ଜିତି ପାରୁନଥିବା ବିଏସଏନଏଲକୁ ଅଧିକ ସକ୍ରିୟ କରିବାକୁ ଆଜି କେନ୍ଦ୍ର କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି । ତେବେ ବିଏସଏନଏଲ ସହ ଏମଟିଏନଏଲ ମିଶ୍ରଣକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେବା ପରେ ବିଏସଏନଏଲକୁ ଭିଟାମିନ ମିଳିଛି ।

ଭାରତ ସଂଚାର ନିଗମ ଲିମିଟେଡ (ବିଏସଏନଏଲ) ଏବଂ ମହାନଗର ଟେଲିଫୋନ ନିଗମ ଲିମିଟେଡ (ଏମଟିଏନଏଲ) ମଧ୍ୟରେ ମିଶ୍ରଣ ହେବ । ବିଏସଏନଏଲର ବ୍ୟବସ୍ଥାଗତ ସୁଧାର ଆଣିବାକୁ ଏପରି ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ମିଶ୍ରଣ ପ୍ରସ୍ତାବ ଉପରେ ମୋହର ବାଜିଛି । ତେବେ କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ବିଏସଏନଏଲ ଓ ଏମଟିଏନଏଲ ଏହି ଦୁଇ ରାଷ୍ଟ୍ରାୟତ କମ୍ପାନୀକୁ ନା ସରକାର ବନ୍ଦ କରିବେ ନା ସେହି ସଂସ୍ଥାରୁ ସରକାର ଅଂଶ ଧନ ଫେରାଇ ଆଣିବେ ବରଂ ସରକାର ସ୍ଥିତିରେ ସୁଧାର ଆଣିବାକୁ ବଣ୍ଡ ଜରିଆରେ ଋଣ ପରିଶୋଧ, କର୍ମଚାରୀଙ୍କ ଖର୍ଚ୍ଚ କାଟ, ସଂପତିର ନଗଦୀକରଣ, ୪ଜି ସ୍ପେକ୍ଟ୍ରମ ଆବଂଟନ ଭଳି ବ୍ୟବସ୍ଥା ଯୋଗାଇ ଦିଆଯିବ ।

ତେବେ ଗାଁ ଗହଳିରେ ଏହି ଦୁଇ ଉଦ୍ୟୋଗ ଦ୍ରୁତ ବ୍ରଡବ୍ୟାଣ୍ଡ ଓ ଅନ୍ୟ ଡାଟା ସେବା ଯୋଗାଇଦେବେ । ଅନ୍ୟ କମ୍ପାନୀ ମାନଙ୍କ ସହ ପ୍ରତିଯୋଗିତା କରି ଅପହଞ୍ଚ ଅଞ୍ଚଳରେ ବିଶାଳ ନେଟୱର୍କ ବସାଇ ଦ୍ରୁତ ଡାଟା ସେବା ଯୋଗାଇ ଦେବେ ଯାହା ଫଳରେ ଲୋକେ ବିଏସଏନଏଲ ପ୍ରତି ପୁଣି ଆକୃଷ୍ଟ ହେବେ । ଆଉ ଏଥିପାଇଁ କେନ୍ଦ୍ର ସରକାର ୨ କମ୍ପାନୀଙ୍କୁ ୨୦, ୧୪୦ କୋଟି ଟଙ୍କା ଯୋଗାଇଦେବେ ।

ଅନ୍ୟପଟେ ଏହି ଦୁଇ କମ୍ପାନୀ ୫୦ ବର୍ଷରୁ ଅଧିକ ବୟସ ଅତିକ୍ରାନ୍ତ କରିଥିବା କର୍ମଚାରୀଙ୍କୁ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ପ୍ରସ୍ତାବ ଦେବ । ଆଉ ଏହି ଟଙ୍କା କେନ୍ଦ୍ର ସରକାର ବଜେଟରୁ ବହନ କରିବେ । ତେବେ ଏହି ଦୁଇ କମ୍ପାନୀର ମିଶ୍ରଣ ପରେ ନେଟୱର୍କ ଅପଗ୍ରେଡେସନ ଓ ସମ୍ପ୍ରସାରଣ ହେବ ଆଉ ଗାଁ ଗହଳିରେ ଲୋକଙ୍କୁ ବିଏସଏନଏଲର ସବୁ ସୁବିଧା ଦେବେ ବୋଲି କେନ୍ଦ୍ର ସରକାର ଆଶା ବାନ୍ଧିଛନ୍ତି ।