ସିଏଏ ବିକ୍ଷୋଭକାରୀଙ୍କୁ ଧରିବା ପାଇଁ ନୂଆ ପଇଁତରା : କିଏ ଠେଲାବାଲା ସାଜିଲା ତ କିଏ କାଟିଲା ନିଶ . . . .

363

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ବିକ୍ଷୋଭ ଲାଗି ରହିଛି । କମିବା ପରିବର୍ତ୍ତେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି । ତେବେ ଏନେଇ ଉତ୍ତରପ୍ରଦେଶ ପୋଲିସ୍ ଲଗାତାର ପ୍ରୟାସ ଜାରି ରଖିଛି । ବିକ୍ଷୋଭକାରୀଙ୍କୁ ଗିରଫ କରିବା ପାଇଁ ବେଶ ବଦଳାଉଛନ୍ତି ପୋଲିସ୍ । ଆଗ୍ରାର ଫିରୋଜାବାଦ ଠାରେ ବିକ୍ଷୋଭକାରୀଙ୍କୁ ଧରିବା ପାଇଁ ପୋଲିସକର୍ମୀମାନେ କିଛି ଏପରି ପଇଁତରା ଆପଣାଇଛନ୍ତି । କେବଳଳ ଏତିକି ନୁହେଁ ଆଉ ଜଣେ ପୋଲିସ ବାବୁ ତ ନିଜର ନିଶ ମଧ୍ୟ କାଟି ଦେଇଛନ୍ତି ।

ସୂଚନା ଅନୁସାରେ ମଣ୍ଟୋଲା ଥାନା ସ୍ଥିତ ସୁବାଷ ବଜାର ପୋଲିସ ଇନଚାର୍ଜଙ୍କୁ ଗୋପନୀୟ ସୁତ୍ରରୁ ସୂଚନା ମିଳିଥିଲା ଯେ, ଫିରୋଜାବାଦ ଆସିଥିବା କିଛି ଲୋକ ହିଂସା ପାଇଁ ପ୍ରବର୍ତ୍ତାଉଛନ୍ତି । ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ କରିବା ପାଇଁ ଉସକାଉଛନ୍ତି । ଆଉ ଏହି ସୂଚନା ମିଳିବା ପରେ ପୋଲିସ ବାବୁମାନେ ଆକ୍ସନ ମୋଡ଼ରେ ଆସିଯାଇଛନ୍ତି । ଆଉ ଏଥିପାଇଁ କିଏ ନିଶ କାଟି ନିଜର ଚେହେରା ବଦଳାଇ ଦେଲା ତ ପୁଣି ଆଉ କିଏ ମୁଣ୍ଡରେ ଗାମୁଛା ବାନ୍ଧି ଠେଲା ବାଲା ସାଜିଲା । ଏହିପରି କରିବା ଦ୍ୱାରା ପୋଲିସକୁ ଅନେକ କିଛି ସୂଚନା ମିଳିଥିବା ଜଣାପଡିଛି ।

ତେବେ ପୋଲିସବାବୁଙ୍କ ଏହି କାମ ପାଇଁ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସାପତ୍ର ମିଳିବ । ତେବେ ପୋଲିସ ବାବୁଙ୍କ କର୍ତ୍ତବ୍ୟନିଷ୍ଠା ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି ।