କର୍ପୋରେଟ୍ ଚାକିରୀକୁ ଅଲବିଦା କହି ଫୁଲ ବ୍ୟବସାୟ କରୁଛନ୍ତି ଏମବିଏ ଏବଂ ଚାଟାର୍ଡ ଆକାଉଣ୍ଟାଟ ଡିଗ୍ରୀଧାରୀ ଯୁବତୀ ! ବାର୍ଷିକ ରୋଜଗାର କେତେ ଜାଣିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ । 

38

ଷ୍ଟାଟଅପ କମ୍ପାନି ମୋହରେ ଏବେ ଭାରତୀୟ ଯୁବପୀଢି । କିଏ ଏଥିରେ ସଫଳ ହେଉଛି ତ ପୁଣି କିଏ ବିଫଳ ହେଉଛି । କିନ୍ତୁ ଭାରତରେ ଷ୍ଟାର୍ଟଅପ ବ୍ୟବସାୟ ଏକ ଟ୍ରେଣ୍ଡ ପାଲଟିଗଲାଣି । ଭିନ୍ନ ଭିନ୍ନ ଉପାୟରେ ଷ୍ଟାର୍ଟଅପ ବ୍ୟବସାୟ ଆରମ୍ଭ କରି ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଭାରତର ଯୁବକ-ଯୁବତୀ । ଏପରିକି ଷ୍ଟାର୍ଟଅପ କମ୍ପାନି ଆଗକୁ ନେବା ପାଇଁ ଉଚ୍ଚ ବେତନର ଚାକିରିକୁ ମଧ୍ୟ ବାଏ ବାଏ କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ ବ୍ୟବସାୟ କରି ମହିଳା ମାନେ ମଧ୍ୟ ଏଥିରେ ସଫଳ ହୋଇଛନ୍ତି । ପାଠ ପଢି କେବଳ ଯେ ଗୋଟିଏ ଚାକିରି କରିବା ଏଭଳି ଧାରଣା ଯୁବପିଢୀଙ୍କ ମନ ମଧ୍ୟରୁ ଦୂର ହୋଇ ସାରିଲାଣି । ତେଣୁ ଚାକିରି ଛାଡି କିଏ ଚାଷ କରୁଛି ତ ପୁଣି କିଏ ଚାକିରି ଛାଡି ଅନ୍ୟ ବ୍ୟବସାୟ କରିବାକୁ ମନ ବଳାଉଛନ୍ତି । ସେହିଭଳି ଦୁଇଜଣ ଉଚ୍ଚଶିକ୍ଷିତା ଯୁବତୀ ହେଲେ ଜୟବୁରର ଶିବାନୀ ମାହେଶ୍ୱରୀ ଓ ଦିଲ୍ଲୀର ଭାମିକା । ଏହି ଦୁଇଜଣ ଶିକ୍ଷିତ ଯୁବତୀ ଏବେ ପୂରା ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଜୟପୁରର ୨୩ ବର୍ଷିୟା ଶିବାନୀ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ଠିକ୍ ସେହିଭଳି ଦିଲ୍ଲୀର ୨୫ ବର୍ଷିୟା ଭାମିକା ପେଶାରେ ଚାଟାର୍ଡ ଆକାଉଣ୍ଟଟାଣ୍ଟ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଚାକରି ଛାଡି ଏବେ ଫୁଲ ବ୍ୟବସାୟ କରୁଛନ୍ତି ଏହି ଦୁଇ ଉଚ୍ଚଶିକ୍ଷିତ ଯୁବତୀ । ଏୟାର କଣ୍ଡିସନ ରୁମକୁ ବାଏ ବାଏ କରି ବିଲରେ ଝାଳ ବୁହାଉଛନ୍ତି ଏହି ଦୁଇ ଯୁବତୀ । ତେବେ ଫୁଲ ବ୍ୟବସାୟ ଆରମ୍ଭ କରିବା ପାଇଁ ଏମାନେ ହରିୟାଣାକୁ ବାଛିଥିଲେ । ହରିୟାଣାରେ ଫୁଲ ବ୍ୟବସାୟକୁ ଅଗକୁ ନେବା ସହ ୟୁନିଷ୍ଟାର ଆଗ୍ରୋ ନାମକ କମ୍ପାନି ଖୋଲି ବେଶ ଭଲ ରୋଜଗାର କରୁଛନ୍ତି ଦୁହେଁ ।

୨୦୧୫ରେ ପ୍ରଥମଥର ପାଇଁ ଶିବାନୀ ଫୁଲ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ । ଦିଲ୍ଲୀ-ରୋହତକ ରାସ୍ତାରେ ଯାଉଥିବା ବେଳେ ପୋଲିହାଉସ ଫାର୍ମିଙ୍ଗ ଦେଖିଥିଲେ । ଏହା ତାଙ୍କୁ ବେଶ ଆକର୍ଷିତ କରିଥିଲା । ସେହିଠାରେ ହିଁ ସେ ସ୍ଥିର କରି ନେଇଥିଲେ ଏହାକୁ ନେଇ ସେ ଷ୍ଟାର୍ଟଅପ ବ୍ୟବସାୟ କରିବେ । ଏଥିପାଇଁ ଇଣ୍ଟରନେଟରେ କିଛି ଦିନ ଧରି ରିସର୍ଚ୍ଚ କରିବା ପରେ ଫୁଲ ବ୍ୟବସାୟ କରିବାକୁ ମନ ସ୍ଥିର କରିନେଇଥିଲେ ଶିବାନୀ । କିନ୍ତୁ ଏଥିପାଇଁ କିଛି ଜମିର ଆବଶ୍ୟକତା ରହିଥିଲା ଯାହାକୁ ପୂରଣ କରିଥିଲେ ଭାମିକା । ଶିବାନୀଙ୍କ ଫୁଲ ବ୍ୟବସାୟ ଆଇଡିଆ ଭାମିକାଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା । ତେଣୁ ଉଭୟ ମିଶି ଏହି ବ୍ୟବସାୟ କରିବାକୁ ନିଷ୍ପତି ନେଇଥିଲେ । ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ଭାମିକାଙ୍କର ଇଜ୍ଜର ଜିଲ୍ଲାରେ କିଛି ଖାଲି ଜମି ଥିଲା । ଆଉ ଏହିଠାରେ ଭାମିକା ଓ ଶିବାନୀ ଆରମ୍ଭ କରିଥିଲେ ଫୁଲ ଚାଷ । ଲିଲିଅମ, ଘେରବେରା,ଗୋଲାପ, ରଜନୀଗନ୍ଧା ଓ ଗ୍ଲାଡିଲସ ଭଳି ଫୁଲ ତାଙ୍କ ଫାର୍ମର ଶୋଭା ବଢାଇବା ସହ ଖୁବ୍ ଦିନରେ ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା । ଫୁଲ ଚାଷ ପାଇଁ ତାଙ୍କୁ ବେଶି ପରିଶ୍ରମ ମଧ୍ୟ କରିବାକୁ ପଡିନଥିଲା ।

ଦିଲ୍ଲୀ ପାଖରେ ହୋଇଥିବାରୁ ତାଙ୍କୁ ଫୁଲ ବିକ୍ରି କରିବାରେ ମଧ୍ୟ କୌଣସି ଅସୁବିଧା ହୋଇନଥିଲା । ଦିଲ୍ଲୀରେ ତାଙ୍କ ଫୁଲର ଚାହିଦା ଦିନକୁ ଦିନ ବଢିବାକୁ ଲାଗିଲା । ଫଳରେ ଗୋଟିଏ ବର୍ଷରେ ଫୁଲ ବିକ୍ରି କରି ୮ରୁ ୧୦ ଲକ୍ଷ ଟଙ୍କା ଲାଭ କରିଥିଲା ତାଙ୍କ କମ୍ପାନି ୟୁନିଷ୍ଟାର ଆଗ୍ରୋ । ଏବେ ମୋଟ ୧୦ ଏକର ଜମିରେ ଫୁଲ ଚାଷ କରୁଚନ୍ତି ଶିବାନି ଓ ଭାମିକା ।  ଫୁଲ ଚାଷ କ୍ଷେତ୍ରରେ ଦୁଇ ଜଣ ଯୁବତୀ ଆଣିଥିବା ପରିବର୍ତ୍ତନ ଯୋଗୁଁ ତାଙ୍କୁ ହରିୟାଣା ସରକାର ପୁରସ୍କୃତ ମଧ୍ୟ କରିଛନ୍ତି । ଏପରିକି ଫୁଲ ବ୍ୟବସାୟ ପାଇଁ ତାଙ୍କ କମ୍ପାନିକୁ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ଦିଆଯାଉଛି । ଏବେ ତାଙ୍କ ଫାର୍ମରେ ୧୫ରୁ ୨୦ ଜଣ ଶ୍ରମିକ କାମ କରୁଛନ୍ତି । ତେବେ ଶୀତଳଭଣ୍ଡାର ନ ଥିବାରୁ ତାଙ୍କ ଫାର୍ମରୁ ବାହାରୁଥିବା ଫୁଲ ଅନେକ ସମୟରେ ନଷ୍ଟ ହୋଇଯାଉଛି । ତେଣୁ ସରକାର ଶୀତଳଭଣ୍ଡାର ନିର୍ମାଣ କଲେ ଏହି ସମସ୍ୟା ଦୂର ହେବ ବୋଲି କହିଛନ୍ତି ଭାମିକା ଓ ଶିବାନୀ ।