ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସି ଗ୍ରେଡ ନଦୀ : ରାଜ୍ୟ ସରକାରଙ୍କ ରିପୋର୍ଟ

298

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ: ପ୍ରବଳ ଗ୍ରୀଷ୍ମ ତାପ ଭିତରେ ଜଳ ସଙ୍କଟରେ ଜୁଝି ହେଉଛନ୍ତି ରାଜ୍ୟବାସୀ । କୂଅ ନଳକୂଅରୁ ପାଣି ନବାହାରିବାରୁ ଅନେକ ସ୍ଥାନରେ ଲୋକେ ନିର୍ଭର କରୁଛନ୍ତି ନଦୀ ଜଳ ଉପରେ । କିନ୍ତୁ ଓଡିଶାର ଅଧିକାଂଶ ପ୍ରମୁଖନଦୀ ଓ ଶାଖାନଦୀ ଏବେ ପ୍ରଦୂଷିତ । ଏହି ସବୁ ନଦୀରେ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ଡ ଓ ମୋଟ କୋଲିଫର୍ମର ପରିମାଣ ନିର୍ଦ୍ଧାରିତ ମାନଠାରୁ ଯଥେଷ୍ଟ ଅଧିକ । ଏଣୁ ଏହିସବୁ ନଦୀ ସି ଗ୍ରେଡରେ ସ୍ଥାନ ପାଇଛନ୍ତି ଯାହାର ଜଳ ପାନୀୟ ଉପଯୋଗୀ ନୁହେଁ । ଏଭଳି କିଛି ତଥ୍ୟ ଦେଇଛି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ।

ଝାରସୁଗୁଡା, ସମ୍ବଲପୁର ଓ ସୋନପୁର ସହରରେ ଅଧିକ ପ୍ରଦୂଷିତ ହୋଇପଡିଛି ମହାନଦୀ । ଏହି ସବୁ ଅଂଚଳରେ କୋଲିଫର୍ମ ଓ ବାୟୋକେମିକାଲ ଅକ୍ସିଜେନର ମାତ୍ରା ବେଶ ଅଧିକ । ଆଉ ଏହାର ମୁଖ୍ୟ କାରଣ ହେଉଛି ସହରାଂଚଳର ଆବର୍ଜନା ସିଧାସଳଖ ମିଶୁଛି ନଦୀରେ ।

ସେହିପରି ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ଓ ଦୟାନଦୀର ଜଳ ମଧ୍ୟ ବିଶାକ୍ତ ହୋଇପଡିଛି । ମୁଖ୍ୟତ ରାଜଧାନୀର ଆବର୍ଜନା ମିଶି ଦୂଷିତ ହୋଇଛି ଏହି ଜଳ ଉତ୍ସ । ଆଉ ପାନୀୟ ଆକାରରେ ବ୍ୟବହାର କଲେ କ୍ଷତି ପହଁଚିପାରେ ଆମ ଶରୀରକୁ ।

ରାଉରକେଲାରେ ବ୍ରାହ୍ମଣୀ ନଦୀର ଅବସ୍ଥାତ ବି ସାଙ୍ଘାତିକ । ରାଉରକେଲା ଷ୍ଟିଲ ପ୍ଲାଂଟର ଅବାର୍ଜନା ସାଙ୍ଗକୁ ସହରବାସୀଙ୍କ ବର୍ଜ୍ୟବସ୍ତୁ ବୈତରଣୀ ନଦୀରେ ମିଶି ବିଷାକ୍ତ କରୁଛି ଜଳ ଉତ୍ସକୁ । ରାଉରକେଲା ବାସୀ ଜଳସଙ୍କଟରେ ଜୁଝି ହେଉଥିବା ବେଳେ ବିଷାକ୍ତ ପାଣି ଆଉ ଏକ ମୁଣ୍ଡ ବିନ୍ଧାର କାରଣ ହୋଇଛି ।

ଅହୁରି ମଧ୍ୟ ପ୍ରଦୂଷିତ ନଦୀ ତାଲିତକାରେ ରହିଛି ଋଷିକୂଲ୍ୟା, ସୁବର୍ଣ୍ଣରେଖା, କାଠଯୋଡି,ବୁଢାବଳଙ୍ଗ, ସାଳନ୍ଦୀ ଭଳି ପ୍ରମୁଖ ନଦୀ । ଏହି ସବୁ ନଦୀ ଏବେ ସି କାଟେଗୋରୀରେ । ବାଲେଶ୍ୱର ଠାରୁ ଆରମ୍ଭ କରି ମାଲକାନଗିରି ଓ ଭୁବନେଶ୍ୱର ଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ସବୁଅଂଚଳରେ ବିଶାକ୍ତ କେମିକାଲ ମିଶୁଛି ନଦୀ ଜଳ ସହ। ସେପଟେ ସ୍ଥାନୀୟ ପ୍ରଶାସନକୁ ସତର୍କ କରି ଚୁପ ବସିଛନ୍ତି ରାଜ୍ୟ ସରାକର । ଏଣୁ ପ୍ରଶ୍ନ ଉଠୁଛି ଭବିଷ୍ୟତରେ ଓଡିଶାର ଜଳସଙ୍କଟ ମହାରାଷ୍ଟ୍ର ଓ ଦିଲ୍ଲୀକୁ ବଳିଯିବନି ତ !