ସିଆରପିଏଫ୍ ଯବାନଙ୍କୁ ଆକ୍ରମଣ କରିଥିବା ଆତତାୟୀର ଭିଡିଓ , “ଯେତେବେଳେ ମୋ ସନ୍ଦେଶ ତୁମ ପାଖରେ ପହଚିଂବ ମୁଁ ସେତେବେଳେ ସ୍ୱର୍ଗରେ ବସି ହସୁଥିବି” 

5,309

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣର ମାତ୍ର କିଛି ମିନିଟ୍ ପରେ ଆତଙ୍କୀ ସଂଗଠନ ଜେସ୍ –ଏ-ମହମ୍ମଦ ଏହି ଆକ୍ରମଣରେ ନିଜକୁ ଦାୟୀ କରିଛି । ଜେସ୍ –ଏ-କାଫିଲେ ଉପରେ ଫିଦାୟିନ୍ ଆକ୍ରମଣ କରିଥିବା ଆତଙ୍କବାଦୀ ଆଦିଲ୍ ର ଭିଡିଓ ଏବେ ଭାଇରାଲ୍ ହୋଇଛି । ଭିଡିଓରେ ଦକ୍ଷିଣ କାଶ୍ମୀରର କାକପୋରାରେ ରହୁଥିବା ବକାଶ୍ ଜେସ୍ ତଥା ଆଦିଲର ପତାକା ଆଗରେ ବସିଥିବାର ଦେଖାଯାଉଛି । ଏହି ଆତତାୟୀ ଆଗରେ ଗ୍ରେନେଡ୍ ତଥା ଅତ୍ୟାଧୁନିକ ରାଇଫଲ୍ ମଧ୍ୟ ରଖାଯାଇଛି । ଭିଡିଓର ଆରମ୍ଭରେ ଏହି ନରସଂହାରୀ କହୁଛି, ଯେତେବେଳେ ପର୍ଯ୍ୟନ୍ତ ଏହି ଭିଡିଓ ଆପଣଙ୍କ ପାଖରେ ପହଚିଂବ ସେହି ସମୟରେ ମୁଁ ସ୍ୱର୍ଗରେ ବସି ମଜା ନେଉଥିବି । ମୁଁ ଜେସ୍ –ଏ-ମହମ୍ମଦରେ ଆତଙ୍କୀ ରୁପେ ଏକ ବର୍ଷ କାଳ ରହିଲି ଏବଂ ଏହି ସନ୍ଦେଶ ମୋର କାଶ୍ମୀରର ଲୋକଙ୍କ ପାଇଁ ଅନ୍ତିମ ସନ୍ଦେଶ ।

ଆଦିଲ୍ ଭିଡିଓରେ କହୁଛି ଜେସ୍ ସଂଗଠନ ଆଗରୁ ମଧ୍ୟ ଭାରତ ଉପରେ ଆକ୍ରମଣ କରିଛି । ଯେଭଳି ବିମାନ ଅପହରଣ,୨୦୦୧ ସଂସଦ ଆକ୍ରମଣ,ନଗରୋଟା ଆକ୍ରମଣ,ଉରି ଆକ୍ରମଣ ଏବଂ ପଠାନକୋଟ୍ ଏୟାରବସ୍ ଆକ୍ରମଣ । ସେଥିରେ ଉତ୍ତର କାଶ୍ମୀରର ଲୋକଙ୍କୁ ଉସକାଇ କୁହାଯାଇଛି ଯେ ଦକ୍ଷିଣ କାଶ୍ମୀରରେ ଲୋକମାନେ ଭାରତ ବିପକ୍ଷରେ ଲଢେଇ କରୁଛନ୍ତିି । ଏବେ ଉତ୍ତର ଏବଂ ମଧ୍ୟ କାଶ୍ମୀର ସହ ଜମ୍ମୁର ଲୋକମାନେ ବି ଲଢିବାର ସମୟ ଆସିଯାଇଛି । ଭିଡିଓରେ ଆଦିଲ୍ କହୁଛି, “ଆମର କିଛି କମାଣ୍ଡରକୁ ମାରି ତୁମେ ଆମକୁ ଦୁର୍ବଳ କରିପାରିବ ନାହିଁ ।”

ପୁଲିସ୍ ସୂତ୍ରରୁ ଜଣାପଡୁଛି ଯେ ଆଦିଲ୍ ହୁସେନ୍ ଡାର ୧୯ ମାର୍ଚ୍ଚ ୨୦୧୬ ପୁଲୱାମା ଗୁଡିବାଙ୍ଗ୍ ରୁ ଗାୟବ୍ ହୋଇଯାଇଥିଲା । ତାର ଦୁଇବନ୍ଧୁ ତୋସିଫ୍ ଏବଂ ୱସିମ୍ ମଧ୍ୟ ଗାୟବ୍ ହୋଇଯାଇଥିଲେ । ତୋସିଫ୍ ର ଭାଇ ବି ଜଣେ ଆତଙ୍କବାଦୀ ଥିଲା ଯାହାର ୨୦୧୬ ମସିହାରେ ମୃତ୍ୟୁ ହୋଇଥିଲା । ଆଦିଲ୍ ସ୍କୁଲ ପାଠ୍ୟକ୍ରମ ଅଧାରୁ ଛାଡି ଆତଙ୍କୀ ସଂଗଠନରେ ମିଶିବା ସହ ଅନ୍ୟାନ୍ୟ କାମରେ ଲିପ୍ତ ରହୁଥିଲା । ପୁଲୱାମା ଆକ୍ରମଣ କାଶ୍ମୀରର ଗତ ଦୁଇ ଦଶନ୍ଧୀ ଧରି ହୋଇଥିବା ଏକ ବଡ ଆକ୍ରମଣ ଅଟେ । ୨୦୦୧ ମସିହାରେ ଜେସ୍ –ଏ-ମହମ୍ମଦ ତରଫରୁ ହିଁ ଶ୍ରୀନଗର ସଚିବାଳୟ ଆଗରେ ଆତ୍ମଘାତୀ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ୪୨ ଲୋକଙ୍କ ମୃତ୍ୟୁ ହେବା ସହ ୪୦ ଜଣ ଲୋକ ଆହତ ହୋଇଥିଲେ ।