ଯୋଦ୍ଧାଙ୍କୁ ନେଇ ରାଜନୀତି ! ବିଜେପି ଓ ବିଜେଡିର ‘ବକ୍ସି’ କାର୍ଡ ପ୍ରତିଯୋଗିତା

30

ଏକଥା ସମସ୍ତେ ଜାଣନ୍ତି, ୧୮୫୭ରେ ହୋଇଥିବା ସିପାହୀ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ । ହେଲେ ଏକଥା ଖୁବ୍ ଲୋକ ଜାଣନ୍ତି ଏହି ସଂଗ୍ରାମର ୪୦ ବର୍ଷ ପୂର୍ବରୁ ଆଉ ଏକ ବିଦ୍ରୋହ ହୋଇଥିଲା । ‘ପାଇକ ବିଦ୍ରୋହ’ ଯାହା ପାଇକ ମାନଙ୍କର ନିର୍ଭୀକତା ଏବଂ ପରାକ୍ରମର ଗାଥା ବହନ କରେ ।

ହେଲେ ଦୀର୍ଘ ୨୦୦ ବର୍ଷ ଧରି ଅବହେଳିତ ହୋଇ ପଡିଥିବା ଏହି ବୀରଙ୍କୁ ମନେ ପକାଇଛନ୍ତି ଉଭୟ ବିଜେପି ଏବଂ ବିଜେଡି । ହଠାତ୍ ଏମାନଙ୍କ ବୀରତ୍ୱର ଗାଥା ଦୁଇ ରାଜନୈତିକ ଦଳଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଯାଇଛି । ପାଇକ ବିଦ୍ରୋହର ଯୋଦ୍ଧାଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିଶ୍ଚିତ ଭାବରେ ଏହା ପଛର କାରଣ ବୀରଙ୍କୁ ସମ୍ମାନ ନୁହେଁ ବରଂ ୨୦୧୯ରେ ସତ୍ତା ହାସଲ କରିବା ଓ ନିର୍ଦ୍ଦଷ୍ଟ ବର୍ଗର ଲୋକଙ୍କ ଭୋଟ୍ ହାତେଇବା । ଗତ ବର୍ଷ ଅଗଷ୍ଟ ମାସରେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବକ୍ସି ଜଗବନ୍ଧୁଙ୍କ ଜନ୍ମମାଟି ଗଡ ରୋଡଙ୍ଗରେ ମନେ ପକେଇଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ । ଆଉ ବକ୍ସିଙ୍କ ନେତୃତ୍ୱରେ ଇଂରେଜ ଶାସନ ବିପକ୍ଷରେ ଦେଶର ପ୍ରଥମ ପ୍ରଜାମେଳିକୁ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ କହିଥିଲେ ।

ବିଜୁଙ୍କ ନାଁକୁ ବିଜେଡି ଦୀର୍ଘ ଦିନ ଧରି ରାଜ୍ୟ ରାଜନୀତିରେ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିଆସିଛି । ତେଣୁ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ବିଜେପି, ବିଜେଡିକୁ ଚକମା ଦେବା ପାଇଁ ଖେଳିଥିଲା ଏହି ବକ୍ସି କାର୍ଡ । କେନ୍ଦ୍ର ବଜେଟରେ ପାଇକ ବିଦ୍ରୋଦର ୨୦୦ ବର୍ଷ ପୂର୍ତ୍ତି ସମାରୋହକୁ ପାଳନ କରିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଘୋଷଣା କରିବା ପରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ଖାଲି ଏତିକି ନୁହେଁ, ଦିଲ୍ଲୀରେ ୨୦ ବର୍ହ ପୂର୍ତ୍ତିକୁ ମହାସମାରୋହରେ ପାଳନ କରିବାକୁ ବିଜେପି ଅଂଟା ଭିଡିଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେଣୁ ଜାତୀୟ ସ୍ତରରେ ପାଇକ ବିଦ୍ରୋହକୁ ନେଇ ବିଜେପି କରିଛି ବଡ ଧରଣର ଗୋଟିଚାଳନା ।

ତେବେ ବିଜେପିର ଏହି ବକ୍ସି କାର୍ଡକୁ ହାତରୁ ଛଡାଇ ନେବାକୁ ବସିଛି ବିଜେଡି । କିଛି ଦିନ ତଳେ ବକ୍ସି ଜଗବନ୍ଧୁଙ୍କ ନାଁରେ ‘ବସୁଧା’ ନାମକ ପାନୀୟ ଜଳ ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଓଡିଶାରେ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ ନାଁରେ ନୂଆ ଟ୍ରେନ୍ ପୁରୀ-ଖୋର୍ଦ୍ଧା ରୋଡ ଷ୍ଟେସନରୁ ସମ୍ବଲପୁର ଦେଇ ମୁମ୍ବାଇ ଚଳାଚଳ କରିବାକୁ ରେଳମନ୍ତ୍ରୀ ସୁରେଶ ପ୍ରଭୂଙ୍କୁ ପ୍ରସ୍ତାବ ଦେଇଥିଲେ । ଯାହା ସ୍ପଷ୍ଟ ପ୍ରମାଣିତ କରୁଥିଲା ବିଜେପିର ବକ୍ସି କାର୍ଡ ବିଜେଡିକୁ ବିଚଳିତ କରିଛି । ଏହି ଜାତୀୟ ଦଳ ସଂପୂର୍ଣ୍ଣ ମାଇଲେଜ ନେବା ଆଗରୁ ବିଜେଡି ଏଥିରେ ମୁଣ୍ଡ ପୁରାଇବା ସହ ବାହାବା ନେବାକୁ ଚେଷ୍ଟା ଆରମ୍ଭ କରିଥିଲା ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ପାଇଁ ଦିଲ୍ଲୀରେ ବ୍ୟାପକ ଆୟୋଜନ ହେଉଥିବା ବେଳେ ଆଜି ଭୁବନେଶ୍ୱରରୁ ମାଷ୍ଟର୍ ଷ୍ଟ୍ରୋକ୍ ଖେଳିଛନ୍ତି ରାଜ୍ୟ ସରକାର । ଦୀର୍ଘ ୧୭ ବର୍ଷ ଧରି ବିଜୁବାବୁଙ୍କ ନାଁରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ବିଜେପିକୁ ମାତ୍ ଦେବାକୁ ଇତିହାସ ବଦଳାଇବା ପାଇଁ ଦାବି ଉଠାଇଛନ୍ତି । ୧୮୧୭ର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା କରିବାକୁ ଦାବି କରିଛି ରାଜ୍ୟ କ୍ୟାବିନେଟ୍ । ଫଳରେ ବକ୍ସି ଜଗବନ୍ଧୁଙ୍କୁ ନେଇ ଚାଲିଥିବା ରାଜନୈତିକ ପ୍ରସଙ୍ଗକୁ ଛଡାଇ ନେବା ପାଇଁ ଉଦ୍ୟମ କରିଛି ବିଜେଡି । ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ । ଯାହା ରାଜନୀତିରେ ହଠାତ୍ ବକ୍ସି ଜଗବନ୍ଧୁଙ୍କ ଗୁରୁତ୍ୱ ବଢାଇ ଦେଇଛି ।

ଗୋଟିଏ ପଟେ ବିଜେପି ଅନ୍ୟପଟେ ବିଜେଡି । ଆଉ ଏହାରି ଭିତରେ ଇତିହାସର ଫର୍ଦ୍ଦ ଓଲଟାଇବା ଆରମ୍ଭ କରିଛନ୍ତି ଦୁଇ ଦଳର ନେତା । ସମୟ ଚକ୍ରରେ ଅବହେଳିତ ହୋଇଯାଇଥିବା ବୀରଙ୍କ ଗାଥାକୁ ମନେ ପକାଇବା ଆରମ୍ଭ କରିଛନ୍ତି ନେତାମାନେ । ସ୍ପଷ୍ଟ ଭାବେ କୁହାଯାଇ ପାରିବ, ଜାତିର ସ୍ୱାର୍ଥ ଏମାନଙ୍କ ପାଇଁ ପ୍ରାଥମିକତା କେତେ ରଖୁଛି, ତାହା ସମୟ କହିବ ହେଲେ ରାଜନୈତିକ ସ୍ୱାର୍ଥ ଯେ ଏମାନଙ୍କର ପ୍ରାଥମିକତା ତାହା ଏଥିରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି । ନଚେତ ୨୦୦ ବର୍ଷ ପରେ ହଠାତ୍ ଉଭୟ ରାଜନୈତିକ ଦଳଙ୍କ ପାଇଁ ଏହି ପ୍ରସଙ୍ଗ ଏତେଟା ଗୁରୁତ୍ୱ ବହନ କରନ୍ତାନି । ଖାଲି ଜୟନ୍ତୀରେ ଏମାନେ ନିଜକୁ ସୀମିତ ରଖୁଥିଲେ ଆଉ ଏବେ ଭୋଟରଙ୍କ ମନ ପାଖରେ ପହଂଚିବାକୁ ବରପୂତ୍ରଙ୍କୁ ମାଧ୍ୟମ କରିବା ଆରମ୍ଭ କଲେଣି ।