ଭୁବନେଶ୍ୱରର ଇନଫୋସିଟି ଅଂଚଳରୁ ବ୍ୟବସାୟୀଙ୍କୁ ଅପହରଣ କରିନେଲେ ଦୁର୍ବୃତ ! ବ୍ୟବସାୟିକ ଶତ୍ରୁତା ସନ୍ଦେହ

27

କନକ ବ୍ୟୁରୋ: ଭୁବନେଶ୍ୱରର ଇନଫୋସିଟି ଅଂଚଳରୁ ଜଣେ ବ୍ୟବସାୟୀଙ୍କୁ ଗତକାଲି ରାତିରେ ଅପହରଣ କରିନିଆଯାଇଛି । ସଂପୃକ୍ତ ବ୍ୟବସାୟୀ ଦୀପକ ସ୍ୱାମୀ ବୋଲି ଜଣାପଡିଛି । ଏ ନେଇ ଦୀପକଙ୍କ ପରିବାର ଲୋକେ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଅପହରଣ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ତଲାସି ଅଭିଯାନ ଜାରି ରଖିଛି । ଦୀପକଙ୍କ ପଟିଆ ଅଂଚଳରେ ଏକ ମାର୍ବଲ ଗୋଦାମ ରହିଛି ।

କିଛିଦିନ ତଳେ ମାର୍ବଲ ବ୍ୟବସାୟକୁ କେନ୍ଦ୍ରକରି ଦୀପକଙ୍କ କିଛି ଲୋକଙ୍କ ସହ ଗଣ୍ଡଗୋଳ ଓ ବଚସା ହୋଇଥିଲା । ସେ ବିଭିନ୍ନ ଲୋକଙ୍କଠାରୁ ଅନେକ ଟଙ୍କା ଋଣ ଆଣି ସୁଝିନଥିଲେ । ଏଥିପାଇଁ ତାଙ୍କୁ ବିଭିନ୍ନ ସମୟରେ ଧମକ ମିଳୁଥିଲା । ତେଣୁ ଅପହରଣ ପଛରେ ଏହି କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଗତକାଲି ସେ ଘରକୁ ଆସି ଗାଡି ପାର୍କିଂ କରୁଥିବାବେଳେ କିଛି ଲୋକଙ୍କ ସହ ବଚସା ହୋଇଥିଲା । ସେମାନେ ଦୀପକଙ୍କୁ ଗାଡିରେ ବସାଇ କେଉଁଆଡେ ନେଇଯାଇଥିଲେ । ପରେ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –