ଅଗଷ୍ଟରେ କ୍ରାନ୍ତି ଆଣିବେ ଓଡିଶା ବ୍ୟବସାୟୀ ! ଚାଇନା ସାମଗ୍ରୀ ନଆଣିବାକୁ ବ୍ୟବସାୟୀ ସଂଘର ନିଷ୍ପତ୍ତି

51

କନକ ବ୍ୟୁରୋ : ଓଡିଶା ବଜାରରେ ଚାଇନା ସାମଗ୍ରୀ ଯାହା ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି  । ଯାହାକୁ ଧୀରେ ଧୀରେ ବଜାରରୁ ଅପସାରି ନେବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଉଛି । ଦେଶ ତଥା ରାଜ୍ୟରେ ବ୍ୟବହୃତ ହେଉଥିବା ମୋବାଇଲର ୫୦ ପ୍ରତିଶତ ଚାଇନା କଂପାନୀ ଦ୍ୱାରା ପ୍ରସ୍ତୁତ । କମ୍ ଦାମରେ ମିଳୁଥିବାରୁ ଗ୍ରାହକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ଆମେ ବ୍ୟବହାର କରୁଥିବା ଲାପଟପ୍ ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ପ୍ରାୟତଃ ଚୀନ ଦ୍ୱାରା ପ୍ରସ୍ତୁତ । କମ୍ ଦାମରେ ଓ ସହଜରେ ମିଳୁଥିବାରୁ ଗ୍ରାହକଙ୍କ ପାଲଟିଛି ପ୍ରଥମ ପସନ୍ଦ ।

ବଜାରରେ ମିଳୁଥିବା ଖେଳନା ମଧ୍ୟରୁ ୯୦ ପ୍ରତିଶତ ହେଉଛି ଚାଇନା ପ୍ରସ୍ତୁତ ଜିନିଷ । ଛୋଟ ବଡ ଦୋକାନଠାରୁ ଆରମ୍ଭ କରି ବଡ ଦୋକାନ ପର୍ଯ୍ୟନ୍ତ ସାମଗ୍ରୀ କିଣିବାକୁ ଲୋକଙ୍କ ଗହଳି । ଭୁଟାନର ଡୋକଲମକୁ ନେଇ ଏବେ ମୁହାଁମୁହିଁ ପରିସ୍ଥିତିରେ ଭାରତ ଓ ଚୀନ୍ । ଅଗଷ୍ଟ ମାସରେ ଗୋଟିଏ ଦିନ ଦୋକାନ ବଜାର ବନ୍ଦ କରି ଓଡିଶାବାସୀଙ୍କୁ ସଚେତନ କରିବ ସଂଘ । ଯାହାକୁ ବ୍ୟକ୍ତିଗତ ସ୍ତରରେ ସ୍ୱାଗତ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ଭାରତ ଓ ଚୀନ୍ ମଧ୍ୟରେ ଏବେ ବାର୍ଷିକ ୬୦ ଶହ କୋଟି ଡଲାରର ବାଣିଜ୍ୟ କାରବାର ଚାଲିଛି । ଭାରତ ରପ୍ତାନୀ କମ୍ କରୁଛି, ଆମଦାନୀ ଅଧିକ କରୁଛି । ବିଶେଷଜ୍ଞଙ୍କ ହିସାବରେ, ଚୀନ୍ ଏଥିରୁ ପ୍ରଚୁର ଲାଭ ଉଠାଉଛି । ତେଣୁ ଶତ୍ରୁ ପକ୍ଷକୁ ଅଧିକ ଶକ୍ତିଶାଳୀ କରିବା ବଦଳରେ ଶିକ୍ଷା ଦେବାର ଆବଶ୍ୟକତା ଥିବା ବ୍ୟବସାୟୀ ସଂଘ ମତ ରଖିଛି ।