ଘାଟି ତଳକୁ ଖସି ପଡିଲା ବସ୍ ! ୧୭ ଆହତ, ମେଡିକାଲରେ ଭର୍ତ୍ତି

44

କନକ ବ୍ୟୁରୋ: ଘାଟି ତଳକ ଖସି ପଡିଲା ଯାତ୍ରୀବାହୀ ବସ । ଗତକାଲି ରାତିରେ ଏପରି ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ । ଏଥିରେ ଆହତ ୧୭ ଜଣ ଯାତ୍ରୀଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଗତକାଲି ଟାଟାରୁ ୩୨ ଜଣ ଯାତ୍ରୀଙ୍କୁ ନେଇ ଅନୁଗୁଳ ବାହାରିଥିଲା ସାଇବାବା ନାମକ ଯାତ୍ରୀବାହି ବସ । ରାତିରେ ସମସ୍ତ ଯାତ୍ରୀ ଶୋଇପଡିଥିବା ବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଘାଟି ତଲକୁ ଖସି ପଡିଥିଲା । ଯାତ୍ରୀମାନେ ବସର ଝରକା ଭାଙ୍ଗି ବାହାରକୁ ବାହାରିଥିବା ସୂଚନା ମିଳିଛି । ଖବର ପାଇ କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିବା ସହ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ, ଗତକାଲି ବିଳମ୍ବିତ ରାତିରେ ପାଟକୁରା ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀପଠା ପାଖ କଣିବାଙ୍କ ଠାରେ କାଠଗଡ଼ ବୋଝେଇ ହେଉଥିବା ବେଳେ ଏକ ଟ୍ରାକ୍ଟର୍ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । କାଠଗଡ଼ଗୁଡ଼ିକ ପ୍ରଶାସନର ବିନା ଅନୁମତିରେ କଟାଯାଇ ଚାଲାଣ କରାଯାଉଥିବା କଥା ଶୁଣାଯାଉଛି ।

ମୃତ ଟ୍ରାକ୍ଟର୍ ଚାଳକଙ୍କ ନାମ କୈଳାସ ଭୋଇ । ତାଙ୍କ ଘର ନିଶ୍ଚିନ୍ତକୋଇଲି ଅଞ୍ଚଳର ଶୂକରପଡ଼ା ଠାରେ । ୪୫ ବର୍ଷିୟ କୈଳାସଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ସହରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ସେ ମରିଯାଇଥିଲେ ବୋଲି ଡାକ୍ତରମାନେ କହିଥିଲେ । ଖବର ପାଇ ପାଟକୁରା ପୁଲିସ ଦୁର୍ଘଟଣାସ୍ଥଳ ଓ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।